ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟଦ। ବିମାନ ବନ୍ଦରରେ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ମାତ୍ର ଦୁଇ ଘଣ୍ଟା ପାଇଁ ଭାରତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବା ପରେ ସେ ସୋମବାର ସନ୍ଧ୍ୟାରେ ପ୍ରସ୍ଥାନ କରିବେ। ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କ ସହ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, “ମୁଁ ମୋ ଭାଇ, ୟୁଏଇର ରାଷ୍ଟ୍ରପତି, ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଯାଇଥିଲି। ତାଙ୍କ ଗସ୍ତ ଦର୍ଶାଉଛି ଯେ ସେ ଭାରତ-ୟୁଏଇର ଦୃଢ଼ ବନ୍ଧୁତାକୁ କେତେ ଗୁରୁତ୍ୱ ଦିଅନ୍ତି। ଆମର ଆଲୋଚନା ପାଇଁ ଅପେକ୍ଷା କରିଛି।” ପ୍ରଧାନମନ୍ତ୍ରୀ ମୋଦୀ ଆରବି ଭାଷାରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ତାଙ୍କ ସାକ୍ଷାତର ବିବରଣୀ ଦେଇ ପୋଷ୍ଟ କରିଥିଲେ।
ରାଷ୍ଟ୍ରପତି ହେବା ପରେ ଏହା ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଙ୍କ ତୃତୀୟ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ସେ ଦୁଇ ଘଣ୍ଟାର ଗସ୍ତରେ ଆସିଛନ୍ତି। ତଥାପି, ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରାୟ ୧୦୦ ବିଲିୟନ ଡଲାର ଅତିକ୍ରମ କରିସାରିଛି। ୟୁଏଇ ଭାରତକୁ ଅଶୋଧିତ ତୈଳ, ଏଲଏନଜି ଏବଂ ଏଲପିଜିର ଏକ ପ୍ରମୁଖ ଯୋଗାଣକାରୀ। ଏହି କାରଣରୁ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବୈଠକର ଗୁରୁତ୍ୱକୁ ବୃଦ୍ଧି କରେ।










