ସମ୍ବଲପୁର: ସମ୍ବଲପୁର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଅତାବିରା- ଧର୍ମଶାଳା ଛକରେ ଦୁଇ ଟ୍ରକ ମଧ୍ୟରେ ଜୋରଦାର ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଟ୍ରକ ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । ଘଟଣାରେ ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହେଲପର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଗାଡି ଭିତରୁ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା । ପରେ ଉଭୟ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଭାବେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଜଣେ ଟ୍ରକ ଡ୍ରାଇଭର ବିହାର ରାଜ୍ୟର ହୋଇଥିବା ବେଳେ ତାଙ୍କ ନାମ ମହମଦ ଇସ୍ମାଇଲ ବୋଲି ତାଙ୍କ ସହଯୋଗୀ ହେଲପର କହିଥିବା ବେଳେ ଅନ୍ୟ ଡ୍ରାଇଭରଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡିନାହିଁ । ତେବେ ଦୁର୍ଘଟଣା କିପରି ହେଲା ସେନେଇ ଅତାବିରା ପୋଲିସ ତଦନ୍ତ ଆରମ୍ଭ କରୁଛି ।










