14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଫେବୃଆରୀ ୭ରୁ ଟ୍ୱେଣ୍ଟି- ୨୦ ବିଶ୍ୱକପ

ଫେବୃଆରୀ ୭ରୁ ଟ୍ୱେଣ୍ଟି- ୨୦ ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ  ଥିବା ୨୦୨୬  ଟ୍ୱେଣ୍ଟି- ୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ କରି ଦେଇଛି ।  ଆସନ୍ତା ଟ୍ୱେଣ୍ଟି-୨୦ ବିଶ୍ୱକପରେ ୨୦ଟି ଦଳ ଅଂଶ ଗ୍ରହଣ କରିବା ଏକପ୍ରକାର  ନିଶ୍ଚିତ ଥିଲା ବେଳେ ଫେବୃଆରୀ  ୭ରୁ  ମାର୍ଚ୍ଚ  ୮ ତାରିଖ ପର୍ଯ୍ୟନ୍ତ  ଏହି ବହୁରାଷ୍ଟ୍ରୀୟ  ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଆଇସିସି ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡିଛି । ଉଭୟ ଭାରତ ଓ ଶ୍ରୀଲଙ୍କାକୁ ମିଶାଇ ମୋଟ ୫ଟି ସ୍ଥାନରେ ବିଶ୍ୱକପର ଏହି ସଂସ୍କରଣ ଖେଳାଯିବ।ପାକିସ୍ତାନର  ଖେଳିବାକୁ ଆଖି ଆଗରେ  ରଖି ଫାଇନାଲ  ଅହମଦାବାଦ କିମ୍ବା କଲମ୍ବୋରେ ଆୟୋଜିତ ହେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ  ଘଟଣା ଏବଂ ତାପରେ ହୋଇଥିବା  ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବାକୁ ଅମଙ୍ଗ ହେଉଛନ୍ତି । ହାଇବ୍ରିଡ ମଡେଲକୁ ସମାଧାନର ବାଟ ନିଆଯାଇଛି।

ଚଳିତ ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ,  ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା , ୟୁଏସଏ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ନେଦରଲାଣ୍ଡସ ଓ ଇଟାଲି ଭଳି ୧୫ଟି ଦଳ  ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ୟୁରୋପୀୟ ଦେଶ ଇଟାଲି ପ୍ରଥମ ଥର ଲାଗି  ବିଶ୍ୱକପ ଲାଗି ଯୋଗ୍ୟତା ହାସଲ କରି  ଇତିହାସ ରଚିଛି । ଅବଶିଷ୍ଟ ୫ଟି ଦଳ ମଧ୍ୟରୁ  ଦୁଇଟି ଆଫ୍ରିକୀୟ ଏବଂ ତିନିଟି  ଏସିଆ  ପାସିଫିକ ଯୋଗ୍ୟତା  ପର୍ଯ୍ୟାୟର ବଛାହେବେ । ଏହି ବିଶ୍ୱକପର ଫର୍ମାଟ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ  ଆୟୋଜିତ ହୋଇଥିବା  ୨୦୨୪  ଟ୍ୱେଣ୍ଟି-୨୦  ବିଶ୍ୱ କପ ସହ ସମାନ  ରହିବ । ୨୦ଟି ଦଳକୁ  ୪ଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତି ଗ୍ରୁପରେ ୫ଟି ଦଳ ରହିବେ ।  ପ୍ରତି ଗ୍ରୁପର ଶ୍ରେଷ୍ଠଦୁଇ ଦଳ ସୁପର-୮କୁ ଉନ୍ନୀତ ହେବେ । ସୁପର -୮ରେ ଦୁଇଟି ଗ୍ରୁପରେ ଚାରିଟି ଲେଖାଏଁ  ଦଳ ସ୍ଥାନ ପାଇବେ । ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ ଟିକେଟ ହାସଲ କରିବେ । ଗତ ସଂସ୍କରଣରେ  ଦକ୍ଷିଣ ଆଫ୍ରିକାକୁ  ହରାଇ ଭାରତ ବିଜେତା ହୋଇଥିଲା । ସହପ୍ରତିଯୋଗିତାରେ  ୫୫ ମ୍ୟାଚ ଖେଳାଯାଇଥିଲା ।  ଏଥର ମଧ୍ୟ ସେହି ୫୫ ମ୍ୟାଚ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଭାରତ ଶେଷ ଥର ଲାଗି ୨୦୧୬ ଏବଂ ଶ୍ରୀଲଙ୍କା ୨୦୧୨ରେ ଟ୍ୱେଣ୍ଟି-୨୦ ବିଶ୍ୱକପ ଆୟୋଜନ କରିଥିଲା। ଆସନ୍ତାବର୍ଷର ପ୍ରଥମ ୪ ମାସରେ କିନ୍ତୁ ଭାରତ ଏକାଧିକ ପ୍ରତିଯୋଗିତା ଆୟୋଜନ କରିବ। ଜାନୁଆରୀ – ଫେବୃଆରୀରେ ଡବ୍ଲ୍ୟୁପିଏଲ ଖେଳାଯିବା ପରେ  ମହିଳା ଟ୍ୱେଣ୍ଟି- ୨୦ ବିଶ୍ୱକପ , ତାପରେ ଆଇପିଏଲ ଖେଳାଯିବ । ଭାରତ ମଧ୍ୟ  ଘରୋଇ ପରିବେଶରେ ଜାନୁଆରି ୧୧ରୁ ୩୧ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଓ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking