20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶହମାସ୍‌କୁ ଟ୍ରମ୍ପ୍‌ଙ୍କ ଖୋଲା ଧମକ; ଇସ୍ରାଏଲୀୟ ବନ୍ଧକଙ୍କୁ ମୁକ୍ତ କର ନଚେତ୍‌..

ହମାସ୍‌କୁ ଟ୍ରମ୍ପ୍‌ଙ୍କ ଖୋଲା ଧମକ; ଇସ୍ରାଏଲୀୟ ବନ୍ଧକଙ୍କୁ ମୁକ୍ତ କର ନଚେତ୍‌..

ୱାଶିଂଟନ୍‌: ଇସ୍ରାଏଲ୍ ପାଇଁ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡବିନ୍ଧାର କାରଣ ସାଜିଥିବା ପାଲେଷ୍ଟାଇନ୍ ସ୍ଥିତ ତଥା ଇରାନ୍ ସମର୍ଥିତ ସଶସ୍ତ୍ରବାହିନୀ ହମାସ୍ ପାଇଁ ଏବେ ଆମେରିକା ପଟୁ ଚେତାବନୀ ଦିଆଯାଇଛି। ରିପୋର୍ଟ ଅନୁସାରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ହମାସ୍‌କୁ ଖୋଲା ଧମକ ଦେଇ ବନ୍ଧକ ଥିବା ଇସ୍ରାଏଲୀୟ ନାଗରିକଙ୍କୁ ତୁରନ୍ତ ମୁକ୍ତ କରିବାକୁ କହିଛନ୍ତି। ଯଦି ହମାସ ଏପରି ନକରେ ତେବେ ପରିଣାମ ଭୋଗିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ଟ୍ରମ୍ପ୍ ନିଜ ଚେତାବନୀରେ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍‌ଙ୍କ ଏପରି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ କି ଆଗାମୀ ଦିନରେ ଟ୍ରମ୍ପ୍ ଆମେରିକାର ନୂଆ ତଥା ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ସୁତରାଂ ହମାସ୍ ସଂଗଠନ ବିରୋଧରେ ଟ୍ରମ୍ପ୍‌ଙ୍କ ଏପ୍ରକାର ଧମକକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଟ୍ରମ୍ପ୍ ନିଜ ଚେତାବନୀପୂର୍ଣ୍ଣ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ ନକରେ ତେବେ ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡିଲ-ଇଷ୍ଟ୍‌। ବୋମା ବର୍ଷା କରି ଛାରଖାର କରିଦିଆଯିବ। ୨୦ ଜାନୁଆରୀ ୨୦୨୫ ଶପଥ ସମାରୋହ ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବାକୁ ସେ ଚେତାବନୀ ଦେଇଛନ୍ତି। ବିଶ୍ୱ ଆଉ ଏକ ମହା ବିଶ୍ୱଯୁଦ୍ଧ ଦେଖିବ ବୋଲି ସେ ଧମକ ଦେଇଛନ୍ତି। ଶପଥ ପୂର୍ବରୁ କିଛି ଦେଶଙ୍କୁ ଏବେ ନାଲି ଆଖି ଦେଖାଇବା ଆରମ୍ଭ କରିଦେଇଛନ୍ତି ଟ୍ରମ୍ପ୍‌। ଡଲାର ବିପକ୍ଷରେ ବ୍ରିକ୍ସ ମୁଦ୍ରା ଆଣିବା ଆଶଙ୍କାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର (ଭାରତ, ରୁଷ୍ ଏବଂ ଚୀନ୍ ସମେତ ଅନ୍ୟ ସଦସ୍ୟ ରାଷ୍ଟ୍ର)ଙ୍କୁ ଧମକ ଦେଇଥିବା ଟ୍ରମ୍ପ୍ ଏବେ ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ମଧ୍ୟ ଇସ୍ରାଏଲ୍ ପ୍ରସଙ୍ଗରେ ଧମକ ଦେଇଛନ୍ତି।

ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ। ତେବେ ଏହା ପୂର୍ବରୁ ସେ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ପାଲେଷ୍ଟାଇନ୍ ସମୂହ ହମାସକୁ ଅଲ୍ଟିମେଟମ୍ ଦେଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ଯେଉଁମାନେ ମାନବିକତା ବିରୁଦ୍ଧରେ ଅତ୍ୟାଚାର କରିଛନ୍ତି ସେମାନଙ୍କୁ ବଡ଼ ମୂଲ୍ୟଦେବାକୁ ପଡିବ। ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ। ଏଥିରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ରଖାଯାଇଥିଲା। ବନ୍ଧକଙ୍କ ମକଧ୍ୟରେ ଉଭୟ ଇସ୍ରାଏଲ ଏବଂ ଆମେରିକୀୟ ନାଗରିକ ଥିଲେ। ତେବେ ପରବର୍ତ୍ତୀ ସମୟରେ ହମାସ କିଛି କିଛି କରି ବନ୍ଧକଙ୍କୁ ମୁକ୍ତ କରିଥିଲେ ମଧ୍ୟ ଏବେବି ପ୍ରାୟ ୧୦୦ ଜଣ ବନ୍ଦୀ ଅବସ୍ଥାରେ ଅଛନ୍ତି। ସେହିପରି ଅନେକ ବନ୍ଧକଙ୍କୁ ହମାସ ଆତଙ୍କୀମାନେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking