ନୂଆଦିଲ୍ଲୀ : ଶପଥ ପୂର୍ୱରୁ ଟ୍ରମ୍ପ ଆତଙ୍କବାଦୀ ସଙ୍ଗଠନ ହମାସକୁ ଦେଇଛନ୍ତି ଖୋଲା ଧମକ । ୨୦ ଜାନୁଆରୀ ୨୦୨୫ ଶପଥ ସମାରୋହ ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବାକୁ ସେ ଚେତାବନୀ ଦେଇଛନ୍ତି। ଯଦି ଏଭଳି ହମାସ୍ ନକରେ ତେବେ ସ୍ଥିତି ଭୟାବହ ହେବ। ମଧ୍ୟପ୍ରାଚ୍ୟରେ ବିନାଶ ଆରମ୍ଭ ହେବ। ମହାଯୁଦ୍ଧ ଦେଖିବ ବିଶ୍ୱ ବୋଲି ସେ ଧମକ ଦେଇଛନ୍ତି। ପ୍ରକୃତରେ ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ। ତେବେ ଏହା ପୂର୍ବରୁ ସେ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ପାଲେଷ୍ଟାଇନ୍ ସମୂହ ହମାସକୁ ଅଲ୍ଟିମେଟମ୍ ଦେଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ଯେଉଁମାନେ ମାନବିକତା ବିରୁଦ୍ଧରେ ଅତ୍ୟାଚାର କରିଛନ୍ତି ସେମାନଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡିବ। ସେ କହିଛନ୍ତି ଯେ ଯଦି ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ ନକରେ ତେବେ ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡିଲ-ଇଷ୍ଟ। ବୋମା ବର୍ଷା କରି ଛାରଖାର କରିଦିଆଯିବ। ବନ୍ଧକଙ୍କୁ ସମୟ ପୂର୍ବରୁ ମୁକ୍ତ କରାନଗଲେ ସେମାନଙ୍କୁ ଆମେରିକା ଇତିହାସରେ କୋଠରରୁ କୋଠର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ଚାଲିଯିବାକୁ ଦାବି କରିଛି ଆତଙ୍କୀ ସଂଗଠନ।










