ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା। ୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କକୁ ବର୍ତ୍ତମାନର ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ବାଣିଜ୍ୟ ଚାପ ଯୋଗୁଁ ଏହାକୁ ଯଥେଷ୍ଟ ବୃଦ୍ଧି କରାଯାଇଥିଲା । ଚୁକ୍ତିନାମା ଅନୁସାରେ , ଆମେରିକା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ହଟାଇ ଦେଇଛି ଯାହା ଭାରତ ଦ୍ୱାରା ଋଷରୁ ତୈଳ କ୍ରୟ କରିବା ଯୋଗୁଁ ଲାଗୁ ହୋଇଥିଲା । ଆମେରିକୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି, ଯେ ଭାରତ ଦ୍ୱାରା ଋଷରୁ ତୈଳ କ୍ରୟ ବନ୍ଦ କରିବା ପାଇଁ ଚୁକ୍ତିନାମା ଯୋଗୁଁ ଏହା ଅତିରିକ୍ତ ଶୁଳ୍କ ମଧ୍ୟ ହଟାଇ ଦିଆଯାଇଛି । ଟ୍ରମ୍ପ ଆହୁରି କହିଛନ୍ତି, ଭାରତ ଆମେରିକାରୁ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଶକ୍ତି, ପ୍ରଯୁକ୍ତି ବିଦ୍ୟା, କୃଷି , କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବ ଏବଂ ଭାରତ ଧୀରେ ଧୀରେ ଆମେରିକୀୟ ସାମଗ୍ରୀ ଉପରେ ତାର ଶୁଳ୍କ ଏବଂ ଅଣ- ଶୁଳ୍କ ପ୍ରତିବନ୍ଧକକୁ ଶୂନ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚୁକ୍ତିନାମାକୁ ସ୍ୱାଗତ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଯେ, ଭାରତରେ ତିଆରି ଉତ୍ପାଦଗୁଡିକ ଏବେ କେବଳ ୧୮% ଶୁଳ୍କ ଲାଗୁ ହେବ ।









