16.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଇରାନ୍ ଉପରେ ସାମରିକ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି ଟ୍ରମ୍ପ୍‌; ୨୦୦୦ ମୃତ୍ୟୁବରଣ କରିଥିବା ମାନିଲା ଇରାନ୍‌

ଇରାନ୍ ଉପରେ ସାମରିକ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି ଟ୍ରମ୍ପ୍‌; ୨୦୦୦ ମୃତ୍ୟୁବରଣ କରିଥିବା ମାନିଲା ଇରାନ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଉପରେ ସାମୟିକ ବିରତି ଲଗାଇଛନ୍ତି। ଆମେରିକୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ୍ କିନ୍ତୁ ଏନେଇ କୌଣସି ସଂକେତ ଦେଇନାହାନ୍ତି। ଇରାନ୍ ପକ୍ଷରୁ ଆଲୋଚନା ତଥା କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଟ୍ରମ୍ପ୍ ହୁଏତ ଆକ୍ରମଣ ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା ଅନୁମାନ କରାଯାଉଛି। ପ୍ରକାଶ, ଟ୍ରମ୍ପ୍‌, ଇରାନ୍ ଉପରେ ଆକ୍ରମଣ ଚେତାବନୀ ଦେବା ପରେ ଇରାନ୍ ନିଜ ସ୍ୱର ପରିବର୍ତ୍ତନ କରିଛି। ଇରାନ୍ ସରକାର କହିଛନ୍ତି, ଇରାନ୍ ଉଭୟ ଯୁଦ୍ଧ ଲଢ଼ଇବା ପାଇଁ କିମ୍ବା ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି। ଇରାନ୍ ପକ୍ଷରୁ ଏପ୍ରକାର ବାର୍ତ୍ତା ଆସିବା ପରେ ଟ୍ରମ୍ପ୍ ମଧ୍ୟ ହୁଏତ ଏବେ ଇରାନ୍‌ର ସ୍ପଷ୍ଟ ବାର୍ତ୍ତାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଟ୍ରମ୍ପ୍ ମଙ୍ଗଳବାର ନିଜ ଟ୍ରୁଥ୍‌’ ସୋସିଆଲ ମିଡିଆ ଜରିଆରେ ଇରାନ୍‌ବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ମେସେଜ୍ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, “ଆନ୍ଦୋଳନ ଜାରି ରଖ, ଖୁବଶୀଘ୍ର ସାହାଯ୍ୟ ମିଳିବ”। ଏହାର ଅର୍ଥ ଇରାନ୍ ଉପରେ ଆମେରିକା ଆକ୍ରମଣ କରିବା ଆଶଙ୍କା ଏପର୍ଯ୍ୟନ୍ତ ଟଳିନାହିଁ। ଟ୍ରମ୍ପ୍ ଇରାନବାସୀଙ୍କୁ ଆନ୍ଦୋଳନ ଜାରି ରଖିବା ସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନେବାକୁ ଆହ୍ୱାନ ଦେଇଛନ୍ତି। ଏସବୁ ମଧ୍ୟରେ ଇରାନ୍ ସରକାର ମଙ୍ଗଳବାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ, ସରକାର ବିରୋଧୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ଇରାନ୍‌ର ସର୍ବୋଚ୍ଚ ନେତା ତଥା ସୁପ୍ରିମ୍‌ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଦର୍ଶାଇଛନ୍ତି ଯେ, ଇରାନ୍‌ରେ ସୃଷ୍ଟି ଏପ୍ରକାର ହିଂସାତ୍ମକ ପ୍ରତିବାଦ ତଥା ସରକାରୀ ବିରୋଧୀ ବିକ୍ଷୋଭ ପାଇଁ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମାସୁଦ୍ ହିଁ ଦାୟୀ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ୍‌ରେ ଏପ୍ରକାର ଅସ୍ଥିରତା ସୃଷ୍ଟି କରିଛନ୍ତି। ଏପ୍ରକାର ଅସ୍ଥିରତା ସୃଷ୍ଟି କରି ଇସ୍ରାଏଲ୍‌, ଆମେରିକା ସହ ମିଶି ଇରାନ୍ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଟ୍ରମ୍ପ୍ ଏବେ ଇରାନ୍ ସହ ବାଣିଜ୍ୟିକ ସମ୍ପର୍କ ରଖିଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ଭାରତ ଉପରେ ପୁଣିଥରେ ଆମେରିକା ପକ୍ଷରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହୋଇଯିବ। ଭାରତ, ଇରାନ୍‌କୁ ବାସୁମତୀ ଚାଉଳ ରପ୍ତାନୀକାରୀ ଦେଶ ମଧ୍ୟରେ ଏକ ବଡ଼ ରପ୍ତାନୀକାରୀ ଦେଶ ଅଟେ। ଏତଦ୍‌ବ୍ୟତୀତ ଇରାନକୁ ଭାରତ ମୁଖ୍ୟତଃ ଚା, ଚିନି, ଔଷଧ, ହାତ ତିଆରି ସୁତା, ଇଲେକ୍ଟ୍ରିକ୍ ମେସିନ, କୃତ୍ରିମ ଗହଣା ପଠାଉଛି। ସେହିପରି, ଇରାନରୁ ଡ୍ରାଏ ଫ୍ରୁଟ୍‌ସ, ଅର୍ଗାନିକ୍ କେମିକାଲ୍ ଓ ଗ୍ଲାସ୍‌ୱେୟାର ଆଦି ଆମଦାନୀ କରୁଛି। ତେବେ କେବଳ ଭାରତ ନୁହେଁ, ଚୀନ୍‌, ସଂଯୁକ୍ତ ଆରବ ଏମିରେଟ୍ସ, ତୁର୍କୀ, ବ୍ରାଜିଲ୍ ଓ ରୁଷ୍ ମଧ୍ୟ ଇରାନ୍ ସହ ବ୍ୟବସାୟ କରୁଥିବା ଦେଶ ମଧ୍ୟରେ ଅଛନ୍ତି। ସୁତରାଂ ଏବେ ଏମାନେ ମଧ୍ୟ ୨୫% ଆମେରିକୀୟ ଶୁଳ୍କର ଚାପଗ୍ରସ୍ତ ହେବା ସମ୍ଭାବନା ବଢ଼ିଯାଇଛି। ତେବେ ଟ୍ରମ୍ପ୍ କିନ୍ତୁ ଏହା ମଧ୍ୟରେ ସ୍ୱୀକାର କରିଛନ୍ତି ଯେ, ସେ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଯଦି ଆମେରିକୀୟ ସୁପ୍ରିମକୋର୍ଟ ତାଙ୍କର ଏହି ଶୁଳ୍କ ନୀତି ବିରୋଧରେ ରାୟ ଦିଅନ୍ତି ତେବେ ଏହା ତାଙ୍କ ସରକାରଙ୍କ ପାଇଁ ଏକ ବଡ଼ ପରାଜୟ ହେବ। ସୁତରାଂ ସେ ଏହାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ସୁପ୍ରିମକୋର୍ଟଙ୍କ ରାୟ ତାଙ୍କ ନୀତି ବିରୋଧରେ ଆସିବା ଦ୍ୱାରା ଆମେରିକାକୁ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡିବ। ଏହା ଦେଶକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବ। ପ୍ରକାଶ, ଟ୍ରମ୍ପ୍‌ଙ୍କ ଏହି ଶୁଳ୍କ ନୀତି ଯୋଗୁ ତାଙ୍କୁ ତାଙ୍କ ନିଜ ଦେଶରେ ହିଁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ଆମେରିକୀୟ ବାଣିଜ୍ୟ ପ୍ରତିଷ୍ଠାନ, ରପ୍ତାନୀକାରୀ ସଂଗଠନଗୁଡ଼ିକ ଏହି ପ୍ରସଙ୍ଗରେ ଟ୍ରମ୍ପ୍‌ଙ୍କ ଶୁଳ୍କ ନୀତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking