ଲମତାପୁଟ: ଘନ କୁହୁଡ଼ି ଯୋଗୁଁ କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଲମତାପୁଟ ବ୍ଲକ ଅନ୍ତର୍ଗତ ମାଳିପେଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମ୍ ଥିବାରୁ କୁନ୍ଦୁରାରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଟ୍ରକ୍ କାରକୁ ଧକ୍କା ଦେଇଥିଲା। କାରରେ ଯାତ୍ରା କରୁଥିବା ଛଅ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି। ଆହତଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଅଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଆହତମାନଙ୍କୁ ବିକୃତ ଗାଡ଼ିରୁ ଉଦ୍ଧାର କରିଥିଲେ। ଆମ୍ବୁଲାସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।










