31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଲଦାଖରେ ମୋଟ୍ ଜିଲ୍ଲା ସଂଖ୍ୟା ୭କୁ ବୃଦ୍ଧି; ୫ ନୂଆ ଜିଲ୍ଲା ଗଠନ କଲେ କେନ୍ଦ୍ର...

ଲଦାଖରେ ମୋଟ୍ ଜିଲ୍ଲା ସଂଖ୍ୟା ୭କୁ ବୃଦ୍ଧି; ୫ ନୂଆ ଜିଲ୍ଲା ଗଠନ କଲେ କେନ୍ଦ୍ର ସରକାର

ଲଦାଖ: ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ସୋମବାର ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଘୋଷଣା କରିଛନ୍ତି । ଏପରିକି ଏହି ୫ ନୂଆ ଜିଲ୍ଲାର ନୂଆ ନାମକରଣ କରାଯାଇଥିବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ଜନସ୍କାର, ଦ୍ରାସ, ଶାମ୍‌, ନୁବ୍ରା ଏବଂ ଚଙ୍ଗଥାଙ୍ଗ୍ ଭାବେ ଏହି ୫ ନୂଆ ଜିଲ୍ଲା ଗଠନ ତଥା ଏଗୁଡ଼ିକର ନାମକରଣ କରାଯାଇଛି । ଅନ୍ୟପକ୍ଷେ ଏହି ୫ ନୂଆ ଜିଲ୍ଲା ଗଠନ ହେବା ଫଳରେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବା ଲଦାଖରେ ବର୍ତ୍ତମାନ ସୁଦ୍ଧା ଜିଲା ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏହି ୫ଟି ନୂଆ ଜିଲ୍ଲା ଗଠନ ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଓ ସମୃଦ୍ଧ ଲଦାଖକୁ ଦୃଷ୍ଟିରେ ରଖି କେନ୍ଦ୍ରଶାସିତ ଅଞ୍ଚଳରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ପାଇଁ ଲାଭଦାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଲଦାଖବାସୀଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସୁତରାଂ ସରକାରଙ୍କ ଏହି ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନକୁ ସୁଦୃଢ଼ କରିବା ସହ ସରକାରୀ ସୁବିଧା କୁ ଲୋକଙ୍କ ଦ୍ୱାରଦ୍ୱାରରେ ପହଞ୍ଚାଇବାରେ ସହାୟକ ହେବ
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ୍ ୨୦୧୯ ଅନୁସାରେ ୩୧ ଅକ୍ଟୋବର ୨୦୧୯ରେ ଏହାକୁ ଦୁଇଟି ପୃଥକ୍ କେନ୍ଦ୍ର ଶାସିତ ଅଞ୍ଚଳ (ଜମ୍ମୁ-କାଶ୍ମୀର ଏବଂ ଲଦାଖ) ରେ ବିଭକ୍ତ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ବିଧାନସଭା ରହିଥିବାବେଳେ ଲଦାଖର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସିଧାସଳଖ ନିୟନ୍ତ୍ରଣ କରାଯାଉଛି ।  ସେବେଠାରୁ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଲଗାତାର ଦାବି ହୋଇଆସୁଛି । ଏସବୁ ମଧ୍ୟରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଲଦାଖ ପାଇଁ ବିଧାନସଭା ଗଠନର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking