ଇସଲାମାବାଦ: ପାକିସ୍ତାନରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଅବଦ୍ଦୁଲ୍ ଅଜିଜ୍ ଏସାର୍ଙ୍କୁ କେହି ସନ୍ଦିଗ୍ଧ ହତ୍ୟା କରିଥିବା ସୂଚନା ମିଳିଛି । ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ପଡିଥିବା ତା’ର ଜଣେ ସହଯୋଗୀ ଦେଖିବା ପରେ ସଂଗଠନର ଅନ୍ୟ କର୍ମକର୍ତ୍ତାଙ୍କୁ ସୂଚୀତ କରିଥିଲା । ତେବେ ଅବଦ୍ଦୁଲ୍ ଅଜିଜ୍ ମୃତ ବୋଲି ଜୈଶ ସ୍ୱୀକାର କରିଥିଲେ ମଧ୍ୟ ଏହା ସାମାଜିକ ଗଣମାଧ୍ୟମରେ ଅଜିଜ୍କୁ ଗୁଳି କରାଯିବା ତଥ୍ୟକୁ ଖଣ୍ଡନ କରିଛି । ପ୍ରକାଶ, ଅଜିଜ୍ ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇଆସୁଥିଲା ।
ପ୍ରତ୍ୟକ ଭାଷଣରେ ସେ ଭାରତ ବିରୋଧରେ ଲୋକଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିଲା । ତେବେ ପାକିସ୍ତାନରେ ଜୈଶ ସଂଗଠନର ପ୍ରାଦୂର୍ଭାବ ବେଶ୍ ଅଧିକ ରହିଥିବା ସତ୍ତ୍ୱେ ଏହାର ଜଣେ ବରିଷ୍ଠ ସଦସ୍ୟକୁ କିଏ, କାହିଁକି ଓ କିପରି ହତ୍ୟା କରିଛି ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ, ଗତ କିଛି ମାସ ମଧ୍ୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୁଚି ରହିଥିବା ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ଆତଙ୍କବାଦୀ, ଖଲିସ୍ତାନୀ, ଉଗ୍ରବାଦୀଙ୍କୁ ଖୋଜି ଖୋଜି ହତ୍ୟା କରାଯାଉଥିବା ଦେଖିବାକୁ ତଥା ଶୁଣିବାକୁ ମିଳୁଛି ।