29.1 C
Bhubaneswar
Friday, October 18, 2024
Homeଓଡିଶାଆଜି ରଥାରୁଢ଼ ମହାବାହୁଙ୍କ ସୁନାବେଶ; ରାତି ୧୧ଟା ଯାଏ ଚାଲିବ ସୁନାବେଶ ଦର୍ଶନ

ଆଜି ରଥାରୁଢ଼ ମହାବାହୁଙ୍କ ସୁନାବେଶ; ରାତି ୧୧ଟା ଯାଏ ଚାଲିବ ସୁନାବେଶ ଦର୍ଶନ

ପୁରୀ: ଆଜି ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ରଥ ଉପରେ ଶ୍ରୀଜୀଉ ମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନାବେଶ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମାର୍କେଟ ଛକ ଠାରେ ହୋଇଥିବା ଏକପାଖିଆ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ସୁନାବେଶ ଦର୍ଶନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ରଥ କଡରେ ପ୍ରସ୍ଥାନ କରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ଓ ଟ୍ରାଫିକ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ । ମହାପ୍ରଭୁଙ୍କ ସୁନାବେଶ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗ ଓ ବିଶେଷ କରି ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଭକ୍ତମାନେ ତିନି ରଥରେ ଯେଭଳି ମହାପ୍ରଭୁଙ୍କର ସୁନାବେଶ ଭଲଭାବେ ଦର୍ଶନ କରିପାରିବେ ଏବଂ ଠାକୁରଙ୍କ ସମ୍ମୁଖରେ କେହି ସେବାୟତ ଛିଡା ହୋଇ ରହିବେ ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ । ସେହିପରି ଆଜି ରାତିରୁ ଟ୍ରାଫିକ ଆଡଭାଇଜାରୀ ମଧ୍ୟ ଜାରି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏକ ପାଖିଆ ରାସ୍ତାରେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ କ୍ରମାନ୍ୱୟରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶନ କରି ତାଳଧ୍ୱଜ ରଥ ପାର୍ଶ୍ୱ ଦେଇ ଫେରିବେ । କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ା ଯିବ ନାହିଁ । ଭିଆଇପି ଓ ଭିଭିଆଇପିମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବେଶି ଭିଡ ଥିଲେ ଭିଆଇପି ଓ ଭିଭିଆଇପି ଭକ୍ତମାନେ ଚାଲିକି ଆସିବା ପାଇଁ ନିବେଦନ କରାଯିବ । ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର ମଧ୍ୟ ବ୍ୟବସ୍ଥା ହେବ । ଜନଗହଳି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛି ପୁରୀ ପୁଲିସ । ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୁନାବେଶ ପାଇଁ ଆସନ୍ତା କାଲି ପ୍ରାତଃ ୬ଟାରୁ ୬ଟା ୩୦ରେ ମଙ୍ଗଳ ଆଳତି, ୭ରେ ମଇଲମ ଓ ତଡ଼ପ ଲାଗି, ୮ରେ ଅବକାଶ ପୂଜା, ୯ରେ ବେଶ ଶେଷ ହେବା ପରେ ୧୦ରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଳଭ, ୧୧ରୁ ୧୨ଟାରେ ସକାଳ ଧୂପ ୧୨ଟା ୩୦ରେ ମଇଲମ, ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୨ ରୁ ୩ଟା ମଧ୍ୟାହ୍ନ ଧୂପ, ୪ଟାରେ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତି, ୪ଟା ୩୦ରେ ଏକାଦଶୀ ସର୍ବାଙ୍ଗ, ୫ଟାରୁ ୬ଟା ୩୦ରେ ସୁନାବେଶ, ୯ଟା ୧୫ ମହାଦୀପ ବନ୍ଦାପନା, ୧୦ଟାରୁ ୧୧ଟାରେ ସୁନାବେଶ ମଇଲମ ବା ଓଲାଗି, ୧୧ଟା ୩୦ରେ ଚନ୍ଦନ ଲାଗି, ରାତି ୧୨ଟା ରୁ ୧ଟାରେ ବଡ଼ସିଂହାର ବେଶ ଓ ଭୋଗ, ୧ଟା ୩୦ରେ ରାତ୍ର ପହୁଡ଼ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking