ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି । ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରିବେ କାଉଡି଼ଆ । ସେହିପରି ବାବା ଧବଳେଶ୍ୱର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଛି । କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।









