17.1 C
Bhubaneswar
Friday, December 19, 2025
Homeଓଡିଶାଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍କ ଦ୍ବାଦଶୀ ତିଥିରେ ପବିତ୍ର ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଛି। ଏ ନେଇ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ବାମନ ଜନ୍ମ ନୀତି ପାଇଁ ମଧ୍ୟାହ୍ନଧୂପ ଛେକ ଉଠିବା ପରେ (ସଂଧ୍ୟା) ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତିରେ ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ବଢ଼ିବା ପରେ ଗତରାତିରୁ ଅଧିବାସ ହୋଇ ରହିଥିବା ପଇତା ଚାଙ୍ଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଜୟବିଜୟ ଦ୍ୱାର ଦେଇ ବାହାରିବା ପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ତିନି ଜଣ ପାଳିଆ ପୁଷ୍ପାଳକଙ୍କ ସହ ଘଣ୍ଟ, ଛତା, କାହାଳି ଶୋଭାଯାତ୍ରାରେ ବଡ଼ଦେଉଳକୁ ତିନି ଘେରା ପରିକ୍ରମା କରିଥିଲେ। ପରିକ୍ରମା ସାରି ସମସ୍ତ ସେବକ ଗର୍ଭଗୃହକୁ ପ୍ରବେଶ ପରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ବଢ଼ିଥିଲା। ମହାପ୍ରଭୁଙ୍କ କର୍ପୁର ଲାଗି ବେଶ ହୋଇଥିଲା। ବେଶ ଶେଷ ପରେ ମଧ୍ୟାହ୍ନଧୂପ ବଢ଼ିଥିଲା। ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଭିତର ଚନ୍ଦନଅର୍ଦଳିଠାରେ ଶୁଦ୍ଧ ସୁଆର ପାଣି ପକାଇ ପୋଛା ମାରିଥିଲେ। ପୂଜାପଣ୍ଡା ଏହି ଅର୍ଦଳିଠାରେ ପାଞ୍ଚ ମୁରୁଜରେ ଜନ୍ମମଣ୍ଡଳ ଲେଖିଥିଲେ। ରତ୍ନ ସିଂହାସନରେ ତିନିବାଡ଼ରେ ବନ୍ଦାପନା ବଢ଼ିବା ପରେ ପୂଜାପଣ୍ଡା କଳସ ବସାଇ ବରୁଣ ପୂଜା କରିଥିଲେ। ଦକ୍ଷିଣି ଘରୁ ମହାଜନ ସେବକ ଶ୍ରୀକୃଷ୍ଣଙ୍କୁ ଆଣି ସିଂହାସନରେ ଅଧିଷ୍ଠିତ କରାଇଥିଲେ। ମୁଦିରସ୍ତ ଶ୍ରୀକୃଷ୍ଣଙ୍କୁ ମହାପ୍ରଭୁଙ୍କ ଧଣ୍ଡି ପ୍ରସାଦ ଲାଗି କରିବା ପରେ ମହାଜନମାନେ ଶ୍ରୀକୃଷ୍ଣଙ୍କୁ ବିଜେ କରି ଆଣି ସର୍ବତ୍ର ଭଦ୍ରମଣ୍ଡଳରେ ଅଧିଷ୍ଠିତ କରିଥିଲେ। ଭଦ୍ରମଣ୍ଡଳ ଉପରେ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ବି ବିଜେ କରାଯିବା ସହ ପଞ୍ଚାମୃତ ମହାସ୍ନାନ କରାଯାଇଥିଲା। ଏହା ପରେ ଶୀତଳ ଭୋଗ ମଣୋହି ହୋଇ ଗର୍ଭ ଉଦରକ ପାଇଁ ପଞ୍ଚୋପଚାରରେ ପୂଜା ବଢ଼ିଥିଲା। ଭଦ୍ରମଣ୍ଡଳରେ ଖଣ୍ଡୁଆ ପାଟ ଘୋଡ଼ାଇ ବାମନ ଜନ୍ମ ନୀତି ସଂପାଦନ ହୋଇଥିଲା। ମହାସୁଆର ସେବକମାନେ ଦେଇଥିବା କ୍ଷୀର, ଲହୁଣି, କୋରାକୁ ଜନ୍ମ ଠାକୁରଙ୍କଠାରେ ପୂଜାପଣ୍ଡା ସେବକ ମଣୋହି କରିଥିଲେ। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ମହାଜନ ସେବକ ଠାକୁରଙ୍କୁ ଜୟବିଜୟ ଦ୍ୱାର ନିକଟକୁ ବିଜେ କରିଥିଲେ। ଏଠାରେ ବାମନ ମୂର୍ତ୍ତି ପଟି ଲାଗି ହୋଇଥିଲା। ଏହାପରେ ଠାକୁର ମାଜଣାମଣ୍ଡପରେ ପଡ଼ିଥିବା ଖଟ ଉପରକୁ ବିଜେ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking