ଭୁବନେଶ୍ୱର: ଗତ କିଛି ବର୍ଷ ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ଅଧାରୁ ପାଠପଢ଼ା ଛାଡୁଥିବା ପିଲାଙ୍କ କୌଣସି ତଥ୍ୟ ନାହିଁ। ଏପରିକି ରାଜ୍ୟ ସରକାର ପିଲାଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ହେଁ ରାଜ୍ୟରେ ଡ୍ରପ୍ ଆଉଟ୍ କାହିଁକି ଖସୁନି ତାର ସମୀକ୍ଷା ହୋଇଛି। ତେବେ ଏହି ସମସ୍ୟା ଦୂର କରିବା ଲାଗି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ପିଲାମାନେ ଅଧାରୁ ପାଠପଢ଼ା ଛାଡିଛନ୍ତି ସମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଲାଗି ସହି ସମସ୍ତ ପିଲାଙ୍କୁ ଖୋଜି ସେମାନଙ୍କ ବୟସ ଓ ଯୋଗ୍ୟତା ଅନୁଯାୟୀ ନାମଲେଖାଇବା ପାଇଁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍କୁଲ ଡ୍ରପ ଆଉଟ ହାର କମାଇବା ପାଇଁ ରାଜ୍ୟ ସରକାର ଗତବର୍ଷ ଠାରୁ “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ମଧ୍ୟ ଆରମ୍ଭ କରିଛନ୍ତି।
୨୦୨୫-୨୬ ଶିକ୍ଷାବର୍ଷ ଗତ ୧ ତାରିଖରୁ ଆରମ୍ଭ ହୋଇଛି। ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟସ୍ତରରେ ଏଥର ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟବ୍ୟାପୀ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଏପ୍ରିଲ ୨ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ମଧ୍ୟ ହୋଇଛି। ୫-୬ ବର୍ଷର ପିଲା ଶିଶୁ ବାଟିକାରେ ଏବଂ ୬ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇଛନ୍ତି। ତେବେ ପ୍ରତିବର୍ଷ ବହୁସଂଖ୍ୟକ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି। ସେମାନେ ଆଦୌ ଶିକ୍ଷାନୁଷ୍ଠାନ ମାଟି ମାଡ଼ୁନାହାନ୍ତି। ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ପ୍ରତିବର୍ଷ ହଜାର ହଜାର ପିଲା ପାଠପଢ଼ାଠୁ ଦୂରେଇ ରହୁଛନ୍ତି। ଏପରିକି ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟ ବାହାରେ ଥିବା ଏପରି ପିଲା (୬ରୁ ୧୪ ବର୍ଷ ବୟସ ବର୍ଗର)ଙ୍କୁ ଚିହ୍ନଟ କରାଯିବ। ସଚେତନତା ଅଭିଯାନ ଜରିଆରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ବୟସ ଉପଯୁକ୍ତ ଶ୍ରେଣୀରେ ସେମାନଙ୍କ ନାମ ଲେଖାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି।
ଶିକ୍ଷା ଅଧିକାର ଆଇନ, ୨୦୦୯ ଏବଂ ଜାତୀୟ ଶିକ୍ଷାନୀତି -୨୦୨୦କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ନାମଲେଖାକୁ ଗୁରୁତ୍ୱ ଦିଆଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ କୌଣସି ପିଲା ବିଦ୍ୟାଳୟ ବାହାରେ ରହିବେନି। ସେମାନଙ୍କୁ ବିଦ୍ୟାଳୟ ଫେରାଇ ଆଣିବାକୁ ପୁଣିଥରେ ପ୍ରୟାସ ଆରମ୍ଭ ହୋଇଛି। ତେବେ ପ୍ରବନ୍ଧ ପୋର୍ଟାଲ ଏବଂ ଏନଏସଏସଓ ରିପୋର୍ଟରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ତଥ୍ୟରେ ବଡ଼ ଅନ୍ତର ଦେଖିବାକୁ ମିଳୁଛି। ୨୦୨୨-୨୩ରେ ପ୍ରବନ୍ଧ ପୋର୍ଟାଲ ଅନୁଯାୟୀ ୭୦୦ ପିଲା (୬-୧୯ ବର୍ଷ) ବିଦ୍ୟାଳୟ ବାହାରେ ଥିବାବେଳେ ଏନଏସଏସଓ ରିପୋର୍ଟ ଅନୁଯାୟୀ ୧୩,୨୬୮ ପିଲା (୬-୧୪ବର୍ଷ) ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିଲେ। ଏନଏସଏସ ତଥ୍ୟ ସହ ପ୍ରବନ୍ଧ ପୋର୍ଟାଲର ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ତଥ୍ୟର ଯାଞ୍ଚ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।
ବିଦ୍ୟାଳୟ ପରିଚାଳନା କମିଟିର ସକ୍ରିୟ ସମ୍ପୃକ୍ତି ସହ ସଚେତନତା ଅଭିଯାନ ଜରିଆରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଜରୁରୀ ଭିତ୍ତିରେ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଅପଲୋଡ୍ ସହ କେନ୍ଦ୍ର ସରକାରଙ୍କ ଅବଗତି ନିମନ୍ତେ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଏହି ଅଭିଯାନରେ ଚିହ୍ନଟ ହେବାକୁ ଥିବା ପିଲାଙ୍କ (୬-୧୪ ବର୍ଷ) ଆରଟିଇ, ୨୦୦୯ ଅନୁସାରେ ବୟସ ଉପଯୁକ୍ତ ଶ୍ରେଣୀରେ ନାମଲେଖା ଯିବ। ଆବଶ୍ୟକ ହେଲେ ବିଦ୍ୟାଳୟ ବାହାରେ ଥିବା ଏହି ପିଲାଙ୍କୁ ୩/୬/୧୨ ମାସ ଅବଧିର ସ୍ୱତନ୍ତ୍ର ତାଲିମ ଦେବାକୁ କୁହାଯାଇଛି। ତାଲିମ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍କୁଲ ଡ୍ରପ ଆଉଟ ହାର କମାଇବା ପାଇଁ ରାଜ୍ୟ ସରକାର “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆରମ୍ଭ କରିଛନ୍ତି। ବିଶେଷ ଭାବରେ ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହା ଦ୍ୱାରା ସ୍କୁଲ ଡ୍ରପ ଆଉଟ ହାର କମାଇବାରେ ସହାୟକ ହେବ। ଆଗାମୀ ଦିନରେ ଯେଭଳି ଭାବରେ ପିଲାମାନେ ସ୍କୁଲ ଆସିବେ ପାଠ ମଧ୍ୟ ପଢ଼ିବେ। ସେ ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ। ରାଜ୍ୟରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ନେବେ ଧନ୍ଦାମୂଳକ ତାଲିମ। ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଡ୍ରପ ଆଉଟ ହେଉଥିବା ଛାତ୍ରଛାତ୍ରୀ ନେବେ ଏହି ତାଲିମ। ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କିଭଳି ଭାବରେ ଅଧା ରୁ ପାଠ ଛାଡିଥିବା ପିଲାମାନେ ପୁଣିଥରେ ସ୍କୁଲକୁ ଆସିବେ ଏବଂ ପାଠ ପଢିବା ସହ ନିଜେ କୁଶଳୀ ହୋଇପାରିବେ ସେନେଇ ପଦକ୍ଷେପ ମଧ୍ୟ ନିଆଯାଇଛି।