କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆକସ୍ମିକ ଭାବେ ଲୋକସଭାରେ ମୁଖ୍ୟ ସଚେତକ ପଦରୁ କଲ୍ୟାଣ ବାନାର୍ଜୀଙ୍କୁ ହଟାଇଦେଇଛି ଦଳ । କଲ୍ୟାଣଙ୍କ ବଦଳରେ କାକୋଲି ଘୋଷ ଦସ୍ତିଦାରଙ୍କୁ ମୁଖ୍ୟ ସଚେତକ ଭାବେ ନୂଆ ଦାୟିତ୍ୱ ଦେଇଛି । ସେହିପରି ଟିଏମ୍ସି ଶତାବ୍ଦୀ ରାୟଙ୍କୁ ଲୋକସଭାରେ ଉପନେତା ଭାବରେ ନିଯୁକ୍ତ କରିଛି। ଏସମ୍ପର୍କରେ ତୃଣମୂଳ କଂଗ୍ରେସ ଏକ୍ସ’ ଯୋଗେ ସୂଚନା ଦେଇଛି ।
ଟିଏମ୍ସି ଦର୍ଶାଇଛି ଯେ ‘କଲ୍ୟାଣ ବାନାର୍ଜୀ ୪ ଅଗଷ୍ଟ ୨୦୨୫ରେ ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜ ଇସ୍ତଫାପତ୍ରକୁ ଦଳର ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ପଠାଇଥିଲେ । ଅନ୍ୟପକ୍ଷେ ମମତା ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏହିକ୍ରମେ ଲୋକସଭାରେ ଉପନେତା ଭାବେ ମଧ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା । ସୁତରାଂ ଦଳର ବରିଷ୍ଠ ସାଂସଦଙ୍କ ସହିତ ପରାମର୍ଶ କରିବା ପରେ, ଟିଏମ୍ସି ଅଧ୍ୟକ୍ଷା ମମତା ବାନାର୍ଜୀ ଡକ୍ଟର କାକୋଲି ଘୋଷ ଦସ୍ତିଦାରଙ୍କୁ ଲୋକସଭାରେ ମୁଖ୍ୟ ସଚେତକ ଏବଂ ଶତାବ୍ଦୀ ରାୟଙ୍କୁ ଉପନେତା ଭାବରେ ନିଯୁକ୍ତ କରିଛନ୍ତି । ଉଭୟଙ୍କୁ ସେମାନଙ୍କର ନୂଆ ଭୂମିକା ଏବଂ ବଙ୍ଗଳାର ଗର୍ବ, ଅଧିକାର ଏବଂ ମର୍ଯ୍ୟାଦା ବଜାୟ ରଖିବା ପାଇଁ ସେମାନଙ୍କର ନିରନ୍ତର ପ୍ରୟାସ ପାଇଁ ଶୁଭକାମନା ଜଣାଇଛି ଟିଏମ୍ସି । ପ୍ରକାଶ, ଗତ କିଛି ମାସ ଧରି, ପଶ୍ଚିମବଙ୍ଗ ଟିଏମ୍ସିର ନେତାମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେବା ପରେ, କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଦଳୀୟ ସାଂସଦମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ପାଇଁ ତାଙ୍କୁ ଭୁଲ୍ଭାବେ ଦାୟୀ କରାଯାଉଛି । ସେ ଅଭିଯୋଗ କରିଥିଲେ ଯେ ଦଳର କେତେଜଣ ସାଂସଦ ଉଦ୍ଦେଶ୍ୟମୂଳକ ଭାବେ ସଂସଦକୁ ବହୁତ କମ୍ ଆସୁଛନ୍ତି ।










