30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶତିରୁପତି ଲଡୁ ବିବାଦ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ତିରୁପତି ଲଡୁ ବିବାଦ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ତିରୁପତି:  ତିରୁପତି ଲଡୁ ବିବାଦ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ପରିପ୍ରେକ୍ଷୀରେ ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ, ଆନ୍ଧ୍ରପ୍ରଦେଶ ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ରାଜ୍ୟ ସରକାର ଏହି ମାମଲାରେ ଏସ୍‌ଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ରାଜ୍ୟର ଜଣେ ଦାୟିତ୍ୱସମ୍ପନ୍ନ ମୁଖ୍ୟମନ୍ତ୍ରୀ ଭାବେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାର କ’ଣ ଆବଶ୍ୟକତା ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, “ଅନ୍ତତଃ ପକ୍ଷେ ଭଗବାନ୍‌ଙ୍କୁ ତ ରାଜନୀତିରୁ ଦୂରେଇ ରଖ । ଭଗବାନ ସବୁଠୁ ଊର୍ଦ୍ଧ୍ୱରେ । ଭଗବାନ୍‌ଙ୍କୁ ରାଜନୀତିର ପଶାପାଲିରେ ଛନ୍ଦି ଟାଣିବା କିଛି ବି ଆବଶ୍ୟକ ନାହିଁ” । ରାଜ୍ୟର ଏକ ପ୍ରମୁଖ ସାମ୍ବିଧାନିକ ପଦରେ ବସିଥିବା ମୁଖ୍ୟମନ୍ତ୍ରୀ ଧାର୍ମିକ ଭାବାବେଗକୁ ସମ୍ମାନ ଜଣାଇବାର ଆବଶ୍ୟକ ଥିଲା ।
ବିଚାରପତି ବି.ଆର ଗଭଇ କହିଥିଲେ, ତିରୁପତିଙ୍କ ଲଡୁରେ ଯେଉଁ ଘିଅ ବ୍ୟବହାର କରାଯାଉଥିଲା ସେଥିରେ ପଶୁ ଚର୍ବି, ମାଛ ତେଲର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏହି ଚର୍ବି ବା ଫ୍ୟାଟ୍ ସୋୟାବିନର ବି ହୋଇପାରେ । ଚର୍ବି ଅର୍ଥ ନୁହେଁ ଯେ, କେବଳ ମାଛ ତେଲରୁ କିମ୍ବା କେବଳ ପଶୁଙ୍କଠାରେ ରହିଥାଏ । ଲ୍ୟାବ୍ ରିପୋର୍ଟ ଜୁଲାଇରେ ଆସିଥିଲା… ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ବିବୃତ୍ତି ରଖିଲେ । କିନ୍ତୁ ରିପୋର୍ଟରେ କୌଣସି ସ୍ପଷ୍ଟତା ନାହିଁ । ଅନ୍ୟପକ୍ଷେ ଏସ୍‌ଆଇଟି ତଦନ୍ତ ସରିନାହିଁ । ଟିମ୍ ତଦନ୍ତ ରିପୋର୍ଟ ଦେଇନାହିଁ । ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଅଯଥା ବିବାଦୀୟ ବୟାନବାଜି କରିବା କିମ୍ବା ଭଗବାନଙ୍କୁ ନେଇ ରାଜନୀତି କରାନଯିବା ଉଚିତ୍ । ଏଥିସହ ଅଦାଲତ ଆହୁରି କହିଛନ୍ତି ଯେ, ଅପମିଶ୍ରଣ ହୋଇଥିବା ଘିଅ ଲଡୁ ପ୍ରସ୍ତୁତରେ ବ୍ୟବହାର ହେବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଲ୍ୟାବ୍ ରିପୋର୍ଟ ଅତିରକ୍ତ ଅନ୍ୟ କିଛି ପ୍ରମାଣ ଅଛି କି? ଯଦି ପ୍ରମାଣ ନାହିଁ, ତେବେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଆବଶ୍ୟକତା ନଥିଲା ।
ଗୁଜରାଟର ଏକ ଲ୍ୟାବ୍ ରିପୋର୍ଟ ତିରୁପତି ମନ୍ଦିରରେ ବ୍ୟବହୃତ ଘିଅର ମାନ ପରୀକ୍ଷଣ ହେବା ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋ-ଚର୍ବିରେ ଅପମିଶ୍ରିତ ହୋଇଥିବା ନେଇ ପ୍ରାଥମିକ ତଦନ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାକୁ ନେଇ ଗତ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ରୂପେ ବ୍ୟବହାର କରାଯାଉଥିବା ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲର ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ । ପୂର୍ବ ମୁଖ୍ୟମନ୍ତ୍ରୀ ୱାଇଏସ୍‌ଆର ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ସରକାର ସମୟରୁ ଏପରି ହୋଇଆସୁଛି ବୋଲି ସେ କହିଥିଲେ । ତେବେ ଚନ୍ଦ୍ରବାବୁଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି । କିନ୍ତୁ ଜଗନ ରେଡ୍ଡୀ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ଚନ୍ଦ୍ରବାବୁ ନାଇଡୁ ଜଣେ ଅଭ୍ୟାସଗତ ମିଛୁଆ, ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଛ, ଏହାର ତଦନ୍ତ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ଆଜି ସର୍ବୋଚ୍ଚ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking