କଟକ: ରାଜ୍ୟରେ ଆଉ କୌଣସି ସହର ଭିତରେ ରହିବନାହିଁ ଜେଲ୍ । ସହର ଭିତରେ ଜେଲ୍ ରହୁଥିବାରୁ ଜନତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପାଇଁ ରାଜ୍ୟର ୧୩ଟି ଜେଲ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ୬ଟି ଜେଲ୍ ପାଇଁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୨୬-୨୭ ବର୍ଷରେ ଏସବୁର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । କଏଦୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟାକୁ ଏଡାଇବା ପାଇଁ ଜେଲ୍ ବିଭାଗ ଅତ୍ୟାଧୁନିକ ଜେଲ୍ ନିର୍ମାଣ କରିବା ପାଇଁ ଅତ୍ୟାଧୁନିକ ଜେଲ୍ ନିର୍ମାଣ କରିବାକୁ ରୋଡିମ୍ୟାପ୍ ପ୍ରସ୍ତୁତ କରିଛି । ରାଜ୍ୟରେ ଏବେ ୮୬ଟି ଜେଲ୍ ଥିବା ବେଳେ ସର୍କଲ ଜେଲ୍ ସଂଖ୍ୟା ୫ ରୁ ୭ ବୃଦ୍ଧି ପାଇଛି । ବର୍ତ୍ତମାନ ଜେଲ୍ରେ ୨୩ ହଜାର ୫୨୬ କଏଦୀଙ୍କ ରହଣି ବ୍ୟବସ୍ଥା ଥିବା ବେଳେ ୧୭ ହଜାର ୧୮୫ ଜଣ କଏଦୀ ଅଛନ୍ତି । କିନ୍ତୁ ବିଭିନ୍ନ ଜେଲ୍ରେ କଏଦୀ ରହିବା କ୍ଷମତା ଆଉ ୧୧୨୫କୁ ବୃଦ୍ଧି କରିବା ଯୋଜନା ରହିଛି ।
ଜେଲ୍ ବିଭାଗ ୧୩ଟି ଜେଲ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି ତାଲିକାରେ ଥିବା ଭୁବନେଶ୍ୱର ଝାରପଡା ଜେଲ୍ ଜାମୁଝରୀକୁ ସ୍ଥନାନ୍ତର କରାଯିବା ପରେ କଏଦୀ ରହିବା କ୍ଷମତା ୯୯୧ରୁ ୨ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ଭାବେ ଯାଜପୁରରେ ୧୩୩ଟି ଓ ଭଦ୍ରକରେ ୨୦୧ କଏଦୀଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ପ୍ରତି ଜେଲ୍ରେ ଏହାକୁ ୫୦୦ କରିବା ଯୋଜନା ରହିଛି । ବାରିପଦା, ସୁନ୍ଦରଗଡ, କେନ୍ଦୁଝର ଜେଲ୍ ପାଇଁ ଜମି ସ୍ଥିର ହୋଇଛି । ତାଲିକାରେ କୋରାପୁଟ, ସମ୍ବଲପୁର ଭଳି ୧୦୦ ବର୍ଷ ପୁରୁଣା ଜେଲ୍କୁ ମଧ୍ୟ ସାମିଲ କରାଯାଇଛି । ନୂଆ କରି ଖୋଲିବାକୁ ଯାଉଥିବା ଜେଲ୍ଗୁଡିକରେ ଏଆଇ କ୍ୟାମେରା ବ୍ୟବସ୍ଥା, ଇ-କୋର୍ଟ ରୁମ୍, ଏକାଧିକ ଭିସି ବ୍ୟବସ୍ଥା କରାଯିବ । ଜେଲ୍ ଭିତରେ କଏଦୀଙ୍କ ଶୃଙ୍ଖଳିତ ରହିବା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ।