ଭୁବନେଶ୍ୱର: ବେକାରୀ ସମସ୍ୟା ଗୋଟିଏ ଦିନ କିମ୍ବା ୧୮ ମାସର ସମସ୍ୟା ନୁହେଁ। ଏହା ୨୪ ବର୍ଷର ସମସ୍ୟା। ପ୍ରବାସୀ ଶ୍ରମିକ ବାହରକୁ ଯିବାର ମୁଖ୍ୟ କାରଣ ରାଜ୍ୟରେ ତାଙ୍କୁ ରୋଜଗାର ଦିଆଯାଇ ପାରିନି। ପୂର୍ବ ସରକାରରେ ନିଯୁକ୍ତିରେ କଟକଣା ରହିଥିଲା। କ’ଣ ପାଇଁ କଟକଣା ଥିଲା ସେମାନେ ଜାଣିଥିବେ। ସେମାନେ ନବୀନ ଓଡ଼ିଶା ଗଠନ କେମିତି କରିବାକୁ ଚାହୁଁଥିଲେ ତାହା ଆମେ ମଧ୍ୟ ଜାଣିବାକୁ ଚାହୁଁଛୁ। ସେ ସମୟରେ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହେଉଥିଲା। ଫଳରେ ସିବିଆଇ ତଦନ୍ତ ପର୍ଯ୍ୟନ୍ତ କଥା ଯାଇଥିଲା। ପିଏମୟୁମାନେ ସାମନ୍ତରାଳ ସରକାର ଚଳାଉଥିଲେ। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଲତବି ପ୍ରସ୍ତାବ ଆଲୋଚନା ପରେ ଉତ୍ତର ଦେଇ ଏଭଳି କହିଛନ୍ତି।
ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ “୨ ଲକ୍ଷ ୩୫ ହଜାରରୁ ଊର୍ଦ୍ଧ୍ୱ ସରକାରୀ ପଦବୀ ଖାଲିଥିଲେ ମଧ୍ୟ ସରକାର ବେକାର ଯୁବକ ଯୁବତୀମାନଙ୍କୁ ଚାକିରି ନଦେବା ଫଳରେ ବେକାର ଯୁବକ ଯୁବତୀମାନେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି’ ଶୀର୍ଷକ ମୁଲତବି ପ୍ରସ୍ତାବ ଅଣାଯାଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ ଯେ ପୂର୍ବ ସରକାର ନିଯୁକ୍ତି ଦେଉନଥିଲେ ବୋଲି କ୍ଷମତାରୁ ଗଲେ। ହେଲେ ନୂଆ ସରକାରକୁ ଏବେ ନିଯୁକ୍ତି କରିବାକୁ ପଡ଼ିବ। ସ୍ଥାୟୀ ନିଯୁକ୍ତିରେ ଆଉଟ୍ ସୋରସିଂ ବାଧକ ସାଜିଛି। ଏହା ଏକ ବ୍ୟାଧି। ସରକାରଙ୍କ ଅକ୍ଷମତା ପାଇଁ ଆଜି ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ସେହିପରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତପ ସ୍ୱାଇଁ କହିଥିଲେ ଯେ ବିଜେପି ନିର୍ବାଚନ ସମୟରେ ଦାଦନ ମୁକ୍ତ କରିବାକୁ ପ୍ରତିଶ୍ର୍ମୃତି ଦେଇଥିଲେ। ଯେଉଁ କମିଟି ଗଠନ ହୋଇଛି ସେଥିରେ କ’ଣ ଖସଡ଼ା ପ୍ରସ୍ତୁତ କରିଛନ୍ତି ତାହା ସରକାର ଗୃହରେ ଉପସ୍ଥାପନ କରନ୍ତୁ। ରାଜ୍ୟର ଯୁବକ ବାହାର ରାଜ୍ୟକୁ ଯିବାର ମୁଖ୍ୟ କାରଣ ନିଯୁକ୍ତିର ଅଭାବ। ମନରେଗାରେ ଆର୍ôଥକ ସହାୟତାକୁ କେନ୍ଦ୍ର ସରକାର କମାଉଛନ୍ତି। ଦାଦନ ବନ୍ଦ ପାଇଁ ସରକାର କହୁଥିବା ଡ୍ରିମ ପ୍ରୋଜେକ୍ଟ କ’ଣ ହେଲା ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଥିଲେ। ଏହାଛଡ଼ା ରାଜ୍ୟରେ ଗ୍ରାମାଞ୍ଚଳର ରୋଜଗାରର ଉତ୍ସ କମୁଛି। ଶିକ୍ଷିତ ଯୁବକ ବାହାରକୁ ଖଟିବାକୁ ଯାଉଛନ୍ତି। ବେସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳୁନାହିଁ ବୋଲି ଶ୍ରୀ ସ୍ୱାଇଁ କହିଥିଲେ।
ଶେଶରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେଇ କହିଥିଲେ ଯେ ବିଭିନ୍ନ ବିଭାଗରେ ଆନ୍ତର୍ଜାତୀୟ କନସଲଟାଣ୍ଟ ଥିଲେ। ହେଲେ ସେମାନେ କରୁଥିଲେ କ’ଣ। ଆଉଟ୍ସୋରସିଂ ଯେଉଁ ସଂସ୍ଥା ଥିଲେ ଦଳୀୟ ଭିତ୍ତିରେ ନିଯୁକ୍ତି ହେଉଥିଲା। ପୁର୍ବ ସରକାର ଦୁର୍ନୀତିରେ ବୁଡ଼ିକି ଥିଲେ। ଗ୍ରୁପ ‘ସି’ ଓ ଗ୍ରୁପ ‘ଡି’କୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ପଲିସି ପରାଲିସିସ କାହା ବୁଦ୍ଧିରେ ହୋଇଥିଲା ତାହା ଚିନ୍ତାର ବିଷୟ। ଅନେକ ନିଯୁକ୍ତି କୋଟ ଫାଇଲରେ ବନ୍ଧା ହୋଇଥିଲା। ଆମେ ସରକାରକୁ ଆସିଲା ପରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ହଜାର ୩୭୧ ସରକାରି ନିଯୁକ୍ତି ଦେଇସାରିଛୁ। ଆଉ ୬୫ ହଜାର ନିଯୁକ୍ତି ପ୍ରକ୍ରିୟାରେ ଅଛୁ। ୨୦୨୦-୨୨ ମସିହାରେ ସମ୍ପୂର୍ଣ୍ଣ ନିଯୁକ୍ତି ବନ୍ଦ। ୨୦୨୩-୨୪ ରେ ୫୭ ହଜାର ନିଯୁକ୍ତି କଥା କହିଥିଲେ ହେଲେ ୮୦ ପ୍ରତିଶତ କଣ୍ଟ୍ରାକ୍ଟଚୁଆଲ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଆମର ପ୍ରାଥମିକତା। ଆମର ଟାର୍ଗେଟ ୨୦୨୯ ମସିହା ସୁଦ୍ଧା ଆମେ ସମ୍ପୂର୍ଣ୍ଣ ରୂପେ ପ୍ରବାସୀ ଶ୍ରମିକ ବାହାରକୁ କିପରି ନ ଯିବେ ସେନେଇ ଆମେ କାମ ଆରମ୍ଭ କରିଛୁ ବୋଲି ଶ୍ରୀ ହରିଚନ୍ଦନ ଗୃହକୁ ଅବଗତ କରିଥିଲେ।










