16.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଶାରେ ବର୍ତ୍ତମାନ ୨୧୦୩ଟି ହାତୀ ଅଛନ୍ତି

ଓଡ଼ିଶାରେ ବର୍ତ୍ତମାନ ୨୧୦୩ଟି ହାତୀ ଅଛନ୍ତି

ଭୁବନେଶ୍ୱର : ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ (ସର୍ବଶେଷ ଗଣନା) ଓଡ଼ିଶାରେ ବର୍ତ୍ତମାନ ୨୧୦୩ଟି ହାତୀ ଥିବାର ଗଣନା କରାଯାଇଅଛି । ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ, କଟକ ଜିଲ୍ଲାରେ ୧୩୨ଟି ହାତୀ, ଖୋର୍ଦ୍ଧା ଜିଲ୍ଲାରେ ୮୩ଟି ହାତୀ, ଢେଙ୍କାନାଳ ଜିଲ୍ଲାରେ ୨୯୧ଟି ହାତୀ, ନୟାଗଡ଼ ଜିଲ୍ଲାରେ ୫୬, ବାଲେଶ୍ୱର ଜିଲ୍ଲାରେ ୫୪, କେନ୍ଦୁଝର ଜିଲ୍ଲାରେ ୧୯୫, ମୟୁରଭଞ୍ଜ ଜିଲ୍ଲାରେ ୨୯୫, ଗଞ୍ଜାମ ଜିଲ୍ଲାରେ ୯୩, ଗଜପତି ଜିଲ୍ଲାରେ ୯, କନ୍ଧମାଳ ଜିଲ୍ଲାରେ ୫୪, ବୌଦ୍ଧ ଜିଲ୍ଲାରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ ୩, ବଲାଙ୍ଗିର ଜିଲ୍ଲାରେ ୪୨, ସମ୍ବଲପୁର ଜିଲ୍ଲାରେ ୧୪୦, କଳାହାଣ୍ଡି ଜିଲ୍ଲାରେ ୯୫, ସୁନ୍ଦରଗଡ଼ ଜିଲ୍ଲାରେ ୧୭୯, ଝାରସୁଗୁଡ଼ା ଜିଲ୍ଲାରେ ୧, ଦେଓଗଡ଼ ଜିଲ୍ଲାରେ ୧୦୭, ବରଗଡ଼ ଜିଲ୍ଲାରେ ୩ ଏବଂ ରାୟଗଡ଼ା ଜିଲ୍ଲାରେ ୧ଟି ହାତୀ ଥିବାର ଗଣନାରୁ ଜଣା ପଡିଛି । ରାଜ୍ୟରେ ବର୍ଷକରେ ହାରାହାରି ୮୧ ଗୋଟି ହାତୀଙ୍କର ମୃତ୍ୟୁ ହେଉଅଛି (ବିଗତ ତିନି ବର୍ଷର ତଥ୍ୟ ଆଧାରରେ) ଏବଂ ମୃତ୍ୟୁର କାରଣ ହେଉଛି ଯଥା :- ଶିକାର, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ବିଭିନ୍ନ ପ୍ରକାର ରୋଗ, ଲୋକମାନଙ୍କର ପ୍ରତିଶୋଧ ମନୋଭାବ ଏବଂ ଅନ୍ୟାନ୍ୟ ପ୍ରାକୃତିକ କାରଣ ଯଥା: କଳହ, ପାହାଡ଼ରୁ ପଡ଼ି, ଦଳିହୋଇ, ବୟସାଧିକ ଇତ୍ୟାଦି ।

ହାତୀମାନେ ସେମାନଙ୍କ ଖାଦ୍ୟର ସନ୍ଧାନରେ ଜଙ୍ଗଲରୁ ଜଙ୍ଗଲକୁ ଘୁରି ବୁଲୁଥାନ୍ତି । ବେଳେବେଳେ ସେମାନେ ଗ୍ରାମ ମଧ୍ୟକୁ ପଶି ଆସିଥାନ୍ତି ଯାହା ଫଳରେ ହାତୀ ଓ ମଣିଷମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ ଏବଂ ତାହାର ପ୍ରତିକାର ପାଇଁ ସରକାର ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।
ଜଙ୍ଗଲରେ ହାତୀମାନଙ୍କର ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଦ୍ୱାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ, ସଚେତନତା ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଫସଲ, ଫଳ ଉଦ୍ୟାନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଅଧିକ ଉପଦ୍ରବ ପ୍ରବଣ ଗ୍ରାମମାନଙ୍କରେ “ଜନ ସୁରକ୍ଷା ଓ ଗଜ ରକ୍ଷା’’ ନାମରେ ଏକ ଯୋଜନା ପ୍ରଣୟନ କରାଯାଇଅଛି ଯେଉଁଥିରେ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ସୌର ତାରବାଡ଼ ସ୍ଥାପନ କରିବା ପାଇଁ ସରକାରଙ୍କ ତରଫରୁ ରିହାତିର ବ୍ୟବସ୍ଥା କରାଯାଇଅଛି । ହାତୀ ନିରୋଧକ ଟ୍ରେଞ୍ଚ ମାନ (Elephant proof Trench) ଖୋଳାଯାଇ ହାତୀମାନଙ୍କ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯାଇଛି ।

ବନ ସଂରକ୍ଷଣ ସମିତି (VSS) ଓ ପରିବେଶ ଉନ୍ନୟନ କମିଟି (EDC) ମାଧ୍ୟମରେ ହାତୀ ଉପଦ୍ରବ ଦୃଷ୍ଟିରୁ ସମ୍ବେଦନଶୀଳ ଗ୍ରାମମାନଙ୍କରେ “ଗଜସାଥୀ’’ ନାମକ ସ୍ଵେଚ୍ଛାସେବୀମାନ ଚିହ୍ନଟ କରାଯାଇ ସେହି ଗ୍ରାମବାସୀଙ୍କୁ ହାତୀ ଚଳାଚଳ ସମ୍ପର୍କରେ ସତର୍କ ସୂଚନା ପ୍ରଦାନ କରାଯାଉଛି । ବନ୍ୟପ୍ରାଣୀ ଉପଦ୍ରବ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଉପଦ୍ରବ ଜନିତ କ୍ଷୟକ୍ଷତି ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ସହାୟତା ରାଶି ତ୍ୱରିତ ପ୍ରଦାନ ପାଇଁ “ଅନୁକମ୍ପା’’ ନାମକ ଏକ ସରଳ ଏବଂ ସହଜ ବ୍ୟବହାରକାରୀ ପୋର୍ଟାଲର ପ୍ରଚଳନ କରାଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking