15.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ବାରଣସୀ: ଉତ୍ତରପ୍ରଦେଶର ବାରାଣସୀ ପ୍ରାନ୍ତରୁ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ରିପୋର୍ଟ ଅନୁସାରେ ସ୍ୱାମୀ-ସ୍ତ୍ରୀ, ୨ ପୁଅ (୨୫ବର୍ଷ, ୧୫ ବର୍ଷ) ଓ ଝିଅ (୧୬ ବର୍ଷ) ସମେତ ପରିବାରର ୫ ସଦସ୍ୟଙ୍କ ଗୁଳିବିଦ୍ଧ ମୃତଦେହ ଠାବ କରାଯାଇଛି। ବାସ୍ତବରେ ଏମାନଙ୍କୁ କିଏ ହତ୍ୟା କରିଛି କିମ୍ବା ଏମାନେ ସାମୂହିକ ଆତ୍ମହତ୍ୟା କରିଛନ୍ତି ସେନେଇ ବାରାଣସୀ ପୁଲିସ୍ ଏବେ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ମଙ୍ଗଳବାର ସକାଳୁ ପୁଲିସ୍‌କୁ ପ୍ରଥମେ ନିତୁ ନାମ୍ନୀ ଜଣେ ୪୫ ବର୍ଷୀୟ ମହିଳା, ତାଙ୍କର ଦୁଇ ପୁଅ ଓ ଏକମାତ୍ର ଝିଅର ଗୁଳିବିଦ୍ଧ ମୃତଦେହ ମିଳିଥିଲା। ଉତ୍ତରପ୍ରଦେଶର ବାରାଣସୀ ସ୍ଥିତ ମୃତକଙ୍କ ନିଜ ଘରୁ ଏସବୁ ମୃତଦେହକୁ ପୁଲିସ୍ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। କିନ୍ତୁ ସେହିସମୟରେ ମହିଳାଙ୍କ ସ୍ୱାମୀ ରାଜେନ୍ଦ୍ର ଗୁପ୍ତାଙ୍କର କୌଣସି ସୂଚନା ନମିଳିବାରୁ ଏସବୁ ହତ୍ୟାକାଣ୍ଡ ପଛରେ ରାଜେନ୍ଦ୍ରଙ୍କ ସମ୍ପୃକ୍ତି ଥିବା ପୁଲିସ୍ ସନ୍ଦେହ କରିଥିଲା। ତେବେ କିଛି ସମୟ ମଧ୍ୟରେ ଏକ କନ୍‌ଷ୍ଟ୍ରକସନ୍ ସାଇଡ୍‌ରେ (ବିଲ୍ଡିଂ କାମ ଚାଲିଥିବା ଅଞ୍ଚଳ) ଥିବା ଏକ ନିର୍ମାଣାଧୀନ କୋଠା ଘରୁ ରାଜେନ୍ଦ୍ରଙ୍କ ଗୁଳିବିଦ୍ଧ ମୃତଦେହ ପୁଲିସ୍‌କୁ ମିଳିଥିଲା। ଫଳରେ ରାଜେନ୍ଦ୍ର ହିଁ ନିଜ ପରିବାର ୪ ଜଣଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କରିଥିବା ପୁଲିସ୍ ଏବେ ସନ୍ଦେହ କରୁଛି।
ବାରଣସୀର ଭଦାୟିନି ଅଞ୍ଚଳରେ ରାଜେନ୍ଦ୍ର ଗୁପ୍ତା ନିଜ ପତ୍ନୀ ନିତୁ ଓ ୩ ପିଲାଙ୍କ ସହ ରହୁଥିଲେ। ଏତଦ୍‌ବ୍ୟତୀତ ଏଠାରେ ରାଜେନ୍ଦ୍ର ନିଜର କିଛି ଘରକୁ ଭଡାସୂତ୍ରରେ ଲଗାଇଥିଲେ ଯେଉଁଠି ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ଏଠାରେ ଭଡାଟିଆ ଭାବେ ରହୁଥିଲେ। ରାଜେନ୍ଦ୍ରଙ୍କର ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସହ ମଦ ବ୍ୟବସାୟ ମଧ୍ୟ ଥିଲା। ସବୁକିଛି ଠିକ୍ ଚାଲିଥିବା ବେଳେ ଆଜି ସକାଳୁ ହଠାତ୍ ରାଜେନ୍ଦ୍ରଙ୍କ ଘର କବାଟ ଦୀର୍ଘ ସମୟ ଧରି ନଖୋଲିବା କାରଣରୁ ଭଡାଟିଆମାନେ ସନ୍ଦେହ କରିଥିଲେ। ପରେ ରାଜେନ୍ଦ୍ରଙ୍କ ଘରେ କାମ କରୁଥିବା ଜଣେ ମହିଳା ଭିତରକୁ ଯିବା କ୍ଷଣି ପରିବାରର ୪ ସଦସ୍ୟ (ନିତୁ, ଝିଅ ଗୌରାଙ୍ଗୀ, ପୁଅ ନଭନେନ୍ଦ୍ର ଏବଂ ଶୁଭେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏସମ୍ପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍ ଏଠାରେ ପହଞ୍ôଚ ଛାନ୍‌ବିନ୍ କରିଥିଲା।
ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ହତ୍ୟା ପାଇଁ ପିସ୍ତଲର ବ୍ୟବହାର ହୋଇଥିବା, ପରିବାର ସଦସ୍ୟ ଶୋଇବା ଅବସ୍ଥାରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଭଳି କିଛି ସୂଚନା ମିଳିଛି। ସେହିପରି ରାଜେନ୍ଦ୍ରଙ୍କ ନାମରେ ଅନେକ ଅପରାଧିକ ମାମଲା ପୁଲିସ୍ ଷ୍ଟେସନ୍‌ରେ ପୂର୍ବରୁ ରୁଜୁ ରହିଥିବା ଜଣାପଡିଛି। ଏପରିକି ରାଜେନ୍ଦ୍ର ବିରୋଧରେ ନିଜ ବାପା, ସାନ ଭାଇ ଓ ଭାଇବୋହୂଙ୍କୁ ହତ୍ୟା କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଥିବା ପୁଲିସ୍ ଜାଣିବାକୁ ପାଇଛି। ସମ୍ପ୍ରତି ସେ ଜାମିନ୍‌ରେ ମୁକୁଳିଥିଲେ। ତେବେ ନିତୁ, ରାଜେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ବିଭିନ୍ନ କାରଣ ପାଇଁ ନିତୁ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ପ୍ରାୟ ଅନେକ ସମୟରେ ଝଗଡ଼ା ହୋଇଥାଏ ବୋଲି ଜଣାପଡିଛି। ରାଜେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷେ ପରିବାରରେ ପାଟିତୁଣ୍ଡ ଯୋଗୁ ରାଜେନ୍ଦ୍ର ଗୁପ୍ତା ପ୍ରାୟ ବର୍ଷେ ହେବ ବାହାରେ ରହୁଥିଲେ। ଦୀପାବଳି ବେଳେ ସେ ଘରକୁ ଆସିଥିଲେ। ଲୋକଙ୍କ କହିବାନୁସାରେ ଗତ କିଛି ବର୍ଷ ଧରି ସେ ଜଣେ ତାନ୍ତ୍ରିକଙ୍କ ଯୋଗାଯୋଗରେ ରହିଥିଲେ। ସମ୍ଭବତଃ ତାଙ୍କ କଥାରେ ସେ ପରିବାରକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking