24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶକୋଲକାତା ଘଟଣାରେ ମୁଣ୍ଡ ପୁରାଇଲେ ସୁପ୍ରିମକୋର୍ଟ

କୋଲକାତା ଘଟଣାରେ ମୁଣ୍ଡ ପୁରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ୩୨ ବର୍ଷୀୟା ଟ୍ରେନି (ପିଜି) ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯିବା ଘଟଣା ଆଉ ଏକ ନୂଆମୋଡ଼ ନେଇଛି । ରବିବାର ସୁପ୍ରିମକୋର୍ଟ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିବା ସହ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ଆସନ୍ତା ମଙ୍ଗଳବାର ଅର୍ଥାତ୍ ଆସନ୍ତା ୨୦ ତାରିଖରେ ଏହି ମାମଲାରେ ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ଜଣିଆ ଖଣ୍ଡପୀଠରେ ଶୁଣାଣି କରାଯିବ । ଖଣ୍ଡପୀଠରେ ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଭଳି ବରିଷ୍ଠ ତଥା ଅଭିଜ୍ଞ ବିଚାରପତିମାନେ ସାମିଲ ହୋଇଛନ୍ତି ।

କୋଲକାତା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଚରମସୀମାରେ ରହିଛି । ସୁରକ୍ଷା ତଥା ଅନ୍ୟାନ୍ୟ ଦାବିରେ ଡାକ୍ତରୀ ସଂଘଙ୍କ ବିକ୍ଷୋଭ, ଆନ୍ଦୋଳନ ମଧ୍ୟ ପରିସ୍ଥିତିକୁ ଅଧିକ ବିପର୍ଯ୍ୟସ୍ତ କରିଦେଇଛି । ଦେଶର ପ୍ରାୟ ସମସ୍ତ ସରକାରୀ ମେଡିକାଲଗୁଡ଼ିକରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ହାତକୁ ନେବା ଏବଂ ଶୁଣାଣି କରିବାକୁ ତାରିଖ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଜନସାଧାରଣଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତାହାର ଶୁଣାଣି କରିପାରିବାର ପ୍ରାବଧାନ ରହିଛି । ବିଶେଷ କରି ଜନତାଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ନେଇ ସମସ୍ୟା ଉପୁଜିଲେ ସର୍ବୋଚ୍ଚ ନ୍ୟାୟାଳୟ ‘ସୋ ମୋଟୋ କଗ୍‌ନିଜାନ୍ସ’ (ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବା) ବଳରେ ଏହାର ବିଚାର କରିଥାଆନ୍ତି ।

ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ. ଚନ୍ଦ୍ରଚୂଡ଼ଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖା ଯାଇଥିଲା । ଯେଉଁଥିରେ ସିଜେଆଇ ସମଗ୍ର ବିଷୟର ନିଜ ଆଡୁ ହସ୍ତକ୍ଷେପ କରିବାକୁ ଦାବି କରାଯାଇଥିଲା । ଚିଠିରେ କୁହାଯାଇଥିôଲା ଯେ, ଏହି ବିଷୟ କେବଳ ନିରୀହ ଜୀବନକୁ ସମାପ୍ତ କରିବା ନୁହେଁ । ଏହା ଆମ ଦେଶର ଆତ୍ମା ଉପରେ ଆକ୍ରମଣ ଏବଂ ଦେଶର ନ୍ୟାୟ ବ୍ୟବସ୍ଥା ପ୍ରତି ଗୁରୁତର ଅପମାନ । ଏପ୍ରକାର ଚିଠି ମିଳିବା ପରେ ସିଜେଆଇ ଏହି ମାମଲା ଉପରେ ଶୁଣାଣି କରିବାକୁ ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ, କୋଲକାତା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି । ସିବିଆଇ ଏହି ମାମଲାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସନ୍ଦେହଘେରରେ ରଖି ପଚରାଉଚରା କରୁଛି । ଅନ୍ୟପକ୍ଷେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ ଲୋଡିଛି । ଏହା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ମଧ୍ୟ ଆଇଏମଏ ମୋଦୀଙ୍କ ନିକଟରେ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking