ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ସୁପ୍ରିମ୍କୋର୍ଟ ଏକ ବଡ଼ ଆଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ରୋକ୍ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ମନ୍ଦିର, ମସଜିଦ, ଗୁରୁଦ୍ୱାର କିମ୍ବା କୌଣସି ଧାର୍ମିକ ସ୍ଥାନ ସରକାରୀ ସମ୍ପତ୍ତିରେ ନିର୍ମାଣ ହୋଇଛି, ତେବେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ଉଚ୍ଛେଦ ଆଇନସମ୍ମତ ହେବା ଉଚିତ୍ ।
ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ । ଶୁଣାଣି ସମୟରେ ଭାରତର ସଲିସିଟର ଜେନେରାଲ କହିଛନ୍ତି ଯେ, ଏହି ମାମଲାରେ ଏକ ନିର୍ଦ୍ଦିଷ୍ଟ ନ୍ୟାରେଟିଭ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯାହା କାହାଣୀ ସୃଷ୍ଟି ହେଉଛି, ସେଥିରେ ଅଦାଲତ ପ୍ରଭାବିତ ହେଉନାହାନ୍ତି । ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ଆମେ ବିରୋଧ କରୁନାହୁଁ । କିନ୍ତୁ ସରକାର ବିଚାରପତି ଭୂମିକା ନିର୍ବାହ କରିପାରିବେ ନାହିଁ । ଯଦି ଗୋଟିଏ ବି ବେଆଇନ ଭଙ୍ଗାରୁଜା ମାମଲା ରହିଛି, ତାହା ଆମ ସମ୍ବିଧାନର ମୌଳିକ ଭାବନା ବିରୁଦ୍ଧରେ ।