33.1 C
Bhubaneswar
Friday, March 27, 2026
Homeଓଡିଶାତାରା ତାରିଣୀ ମନ୍ଦିରରୁ ଚୋରିକୁ ନେଇ ବିଜେଡିର ଉଦ୍‌ବେଗ

ତାରା ତାରିଣୀ ମନ୍ଦିରରୁ ଚୋରିକୁ ନେଇ ବିଜେଡିର ଉଦ୍‌ବେଗ

– ବିଜେଡି ପଠାଇଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ
– ଐତିହ୍ୟର ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ
– ମଠ ମନ୍ଦିର ସୁରକ୍ଷା କେବଳ ବିଜେପିର ସ୍ଲୋଗାନ ଥିଲା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ତାରା ତାରିଣୀ ମନ୍ଦିରରୁ ଚୋରି ନେଇ ବିଜୁ ଜନତା ଦଳ ତରଫରୁ ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଘଟଣା ସ୍ଥଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଜୁ ଜନତା ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ମାନଙ୍କ ସହ ବାର୍ତ୍ତାଳାପ କରି ରାଜ୍ୟର ମଠ ମନ୍ଦିର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ମା ତାରା ତାରିଣୀ ମନ୍ଦିର ଏକ ପୁରାତନ ମନ୍ଦିର ଓ ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ନବୀନ ସରକାରଙ୍କ ଦ୍ୱାରା ରାଜ୍ୟରେ ମନ୍ଦିର ଓ ଆସ୍ଥା କେନ୍ଦ୍ରର ରୂପାନ୍ତିକରଣ କାର‌୍ୟ୍ୟ ଏହି ତାରା ତାରିଣୀ ମନ୍ଦିରରୁ ଆରମ୍ଭ ହୋଇଥିଲା।

ଏଥିରେ ୧୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁଃଖ ଓ ପରିତାପର ବିଷୟ ଯେ, ସରକାର ପରିବର୍ତ୍ତନ ହେବା ପରେ ରାଜ୍ୟର ମଠ ମନ୍ଦିରର ସୁରକ୍ଷାର ଦ୍ୱାହି ଦେଇ ଶାସନକୁ ଆସିଥିବା ବିଜେପି ସରକାର ବର୍ତ୍ତମାନ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି, ଯାହା ଗତ ରାତିରେ ହୋଇଥିବା ଚୋରିରୁ ପ୍ରତୀୟମାନ ହେଉଛି। ମନ୍ଦିରରେ ପଡ଼ିଥିବା ତାଲାକୁ ଭାଙ୍ଗି, ମାଆଙ୍କ ମୂଲ୍ୟବାନ ଅଳଂକାର, ମାଆଙ୍କ ରୁପାର ଛତ୍ର, ରୁପାର ମୁଖା ଓ ନଗଦ ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ଏକ ଉଦ୍‌ବେଗଜନକ ଘଟଣା। ଏହି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି ଓ ରାଜ୍ୟ ବିଜେପି ସରକାରଙ୍କ ମଠ ମନ୍ଦିରର ସୁରକ୍ଷା ପାଇଁ ଆନ୍ତରିକତା ନଥିବା କଥା ପଦାରେ ପକାଇଛି ବୋଲି ଡ଼ଃ ସାମନ୍ତସିଂହାର କହିଥିଲେ।

ସେ କହିଥିଲେ, ରାଜ୍ୟରେ ଗତ ଚାରି ମାସର ବିଜେପିର ଶାସନ କାଳରେ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇ ପଡିଛି ଓ ମଠ ମନ୍ଦିର ସୁରକ୍ଷା ଚିନ୍ତାଜନକ ସ୍ଥିତିରେ ରହିଛି। ରାଜ୍ୟର ଐତିହ୍ୟର ସୁରକ୍ଷା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଯେଉଁ କାମ ପୂର୍ବ ସରକାରଙ୍କ ସମୟରେ ହୋଇ ସାରିଛି, ତାହାର ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ। ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି। ଏଥିରେ ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀମତୀ ସୂର‌୍ୟ୍ୟମଣୀ ବୈଦ୍ୟ, ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଦଳର ବରିଷ୍ଠ ସଦସ୍ୟ ଓ ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ରହିଛନ୍ତି। କମିଟିର ସଦସ୍ୟମାନେ ଆଜି ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳକୁ ଯାଇ ଘଟଣାର ସବିଶେଷ ବିବରଣୀ ପ୍ରସ୍ତୁତ କରି ଦଳର ସଭାପତିଙ୍କୁ ପ୍ରଦାନ କରିବେ ବୋଲି ଡ଼ଃ ସାମନ୍ତସିଂହାର ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking