କାମାକ୍ଷାନଗର: ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ତଥା ଗାଡିଚାଳକଙ୍କ ସୁବିଧା ନିମନ୍ତେ ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ପଥପ୍ରାନ୍ତ ସେବାକେନ୍ଦ୍ର। କିଛି ସମୟ ବିଶ୍ରାମ ନେବା ସହିତ ସ୍ନାନ, ଶୌଚ ଓ ଖାଦ୍ୟପେୟର ସୁବିଧା ଉଠାଉଥିଲେ ଯାତ୍ରୀ ଓ ଗାଡିଚାଳକ। କିନ୍ତୁ କିଛିମାସ ହେବ ସରକାରୀ ଦୁରଦୃଷ୍ଟିର ଅଭାବ ତଥା ପ୍ରଶାସନର ଅବହେଳା ଯୋଗୁ ଏବେ ଭୂତକୋଠି ପାଲଟିଗଲାଣି ଏହି ପଥପ୍ରାନ୍ତ ସେବା କେନ୍ଦ୍ର। ଢେଙ୍କାନାଳ ଜିଲ୍ଲା ସଦର ମହକୁମାରୁ କାମାକ୍ଷାନଗର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପୂର୍ବ ଓଡିଶାରୁ ପଶ୍ଚିମଓଡିଶାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଶତାଧିକ ଯାନବାହାନ ଚଳାଚଳ କରୁଥିବା ବେଳେ ଏହା ରାଜଧାନୀ ଭୁବନେଶ୍ୱର, ବାଣିଜ୍ୟ ସହର କଟକ ସହିତ ରାଉରକେଲା, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଭଳି ପଶ୍ଚିମଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ସହରକୁ ଯୋଗାଯୋଗ କରିଥାଏ।
ସେଥିପାଇଁ ଏହି ରାସ୍ତାରେ ପୂର୍ବ ସରକାରଙ୍କ ସମୟରେ ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା କାମାକ୍ଷାନଗର ସହର ଠାରୁ ୬ କିଲୋମିଟର ଦୂର ମହୁଲପାଳ ନିକଟରେ ନିର୍ମାଣ କରାଯାଇଥିଲା ପଥପ୍ରାନ୍ତ ସେବାକେନ୍ଦ୍ର। ପୂର୍ତ୍ତ ବିଭାଗ ତରଫରୁ ୨. ୧୮ଏକର ଜାଗାରେ କୋଟିକୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହୋଇଥିଲା ଏହି ପଥପ୍ରାନ୍ତ ସେବାକେନ୍ଦ୍ର। ଏହି ରାସ୍ତାରେ ଯାଉଥିବା ଦୂରଦୁରାନ୍ତର ଯାତ୍ରୀ ତଥା ଗାଡିଚାଳକମାନେ ଯାତ୍ରା ଜନିତ କ୍ଲାନ୍ତିରୁ ମୁକ୍ତି ପାଇବା ପାଇଁ ମୌଳିକ ଆବଶ୍ୟକତା ପୂରଣ କରୁଥିଲା ଏହି କେନ୍ଦ୍ର। ସ୍ନାନ, ଶୌଚଠାରୁ ଆରମ୍ଭ କରି ଚା, ଜଳଖିଆ ଓ ଭୋଜନାଳୟର ବ୍ୟବସ୍ଥା ଏଠାରେ ରହିଥିବା ବେଳେ ଶତାଧିକ ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରୁଥିଲା ଏହି କେନ୍ଦ୍ର। ମାତ୍ର କିଛିମାସ ଧରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ିରହିଛି ଏହି ମୌଳିକ ସେବା ଯୋଗାଉଥିବା ପଥପ୍ରାନ୍ତ କେନ୍ଦ୍ର।
ଯାହା ଫଳରେ ଦୈନିକ ଯାତାୟାତ କରୁଥିବା ଗାଡିଚାଳକଙ୍କ ଠାରୁ ଆରମ୍ଭ କରି ଶତାଧିକ ଯାତ୍ରୀ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରା ଜନିତ କ୍ଲାନ୍ତିରୁ ମୁକ୍ତି ପାଇ ଯାତ୍ରୀ ତଥା ଗାଡିଚାଳକ ମାନେ ଏଠାରେ ବେଶ ସମୟ ରହି କ୍ଲାନ୍ତି ମେଣ୍ଟାଉଥିବା ବେଳେ ଏବେ ଏହା ବନ୍ଦ ହୋଇପଡ଼ିରହିଥିବା ଯୋଗୁ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ ହେଉଛନ୍ତି। ତେଣୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଏହି ସ୍ଥାନରେ କାମାକ୍ଷାନଗର ସହର ମଧ୍ୟକୁ ଭାରୀଯାନ ଚଳାଚଳ ନେଇ ନୋ ଏଣ୍ଟ୍ରି ଲଗାଯାଇଥିବା ବେଳେ ବିଭିନ୍ନ ସମୟରେ ବହୁ ସଂଖ୍ୟାରେ ଭାରୀଯାନ ଏଠାରେ ପାର୍କିଂ କରିଥାନ୍ତି। ମାତ୍ର ଏବେ ଏହି ସେବାକେନ୍ଦ୍ର ବନ୍ଦ ହୋଇଯିବା ଫଳରେ ଭାରୀଯାନ ଗୁଡିକର ଡ୍ରାଇଭରମାନେ ମଣିଷର ସର୍ବନିମ୍ନ ଆବଶ୍ୟକତା ଯଥା, ସାନ୍ନ, ଶୌଚ ଓ ଭୋଜନରୁ ବଞ୍ଚିତ ରହି ଏଠାରେ ଆଠରୁ ଦଶ ଘଣ୍ଟା ପଡି ରହିବା ସହ ବହୁ କଷ୍ଟର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ କିପରି ଏହି ସେବାକେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇପାରିବ ସେ ନେଇ ଭାରୀଯାନ ଚାଳକମାନେ ଦାବି କରିଛନ୍ତି।










