ଭୁବନେଶ୍ବର: ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ପର୍କରେ ବଡ଼ ସୂଚନା । ରାଜ୍ୟର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲାଇନ ନିର୍ମାଣ ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୨୫୦ କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି ।
ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟ ରଖିଛି ତାହା ନିଶ୍ଚୟ ହାସଲ କରିବ । ଦିଲ୍ଲୀ ଗସ୍ତରେ ସମୟରେ କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୋର ଆଲୋଚନା ହୋଇଛି । ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଛି ।
”ମୁଖ୍ୟମନ୍ତ୍ରୀ ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳ ଲାଇନ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ବଡ଼ବିଲ, ଯୋଡ଼ା ଓ କେନ୍ଦୁଝରକୁ ନେଇ ଏକ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ଦୁଇଟି ରେଳ ଲାଇନ ନିର୍ମାଣ ସମ୍ଭାବନା ମଧ୍ୟ ଉଜ୍ୱଳ ହୋଇଛି । ଏହା ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଦକ୍ଷିଣ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିରେ ରେଳ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଏହା ଦ୍ୱାରା ବିକାଶର ଗତି ବହୁଗୁଣିତ ହେବ ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।










