27.1 C
Bhubaneswar
Saturday, April 4, 2026
Homeଓଡିଶାଅର୍ପଣ ଚାଉଳ ଗଲା ମିଲ୍‌କୁ

ଅର୍ପଣ ଚାଉଳ ଗଲା ମିଲ୍‌କୁ

ପୁରୀ : ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ପ୍ରଶାସନର ନିର୍ଦ୍ଦେଶ ପରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ମିଲ୍‌କୁ ପଠାଯାଇଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅର୍ପଣ ଚାଉଳ ନିର୍ବାଚନ ପରେ ମହାପ୍ରଭୁଙ୍କ କାର୍ୟ୍ୟରେ ନ ଲାଗି ପଡ଼ିରହି ଏବେ ନଷ୍ଟ ହେବାକୁ ବସିଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାରଠାରେ ରଖାଯାଇଥିବା ଅର୍ପଣ ଚାଉଳ ନଷ୍ଟ ହୋଇ ଗନ୍ଧ ସୃଷ୍ଟି ହେଉଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷପ ଗ୍ରହଣ କରାଯାଉ ନ ଥିଲା, ଯାହାକୁ ନେଇ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଗ୍ରହ ହୋଇଥିବା ଚାଉଳରେ ଖେଚୁଡି ଓ କାନିକା ମହାପ୍ରସାଦ କରାଯାଇ ଭକ୍ତଙ୍କୁ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ଫେବୃଆରୀରୁ ଭକ୍ତଙ୍କୁ ମଧ୍ୟ ଖେଚୁଡି ଓ କାନିକା ବଣ୍ଟା ଯାଉଥିଲା। ମାତ୍ର ନିବାର୍ଚନରେ ପରେ ଗତ ଜୁନ୍‌ରୁ ତାହା ବନ୍ଦ କରି ଦିଆଯାଇଥିଲା। ଫଳରେ ଚାଉଳଗୁଡ଼ିକ ପଡି ପଡି ନଷ୍ଟ ହେବାକୁ ଲାଗିଥିଲା। ଯାହାକୁ ନେଇ ସୁଆର ମହାସୁଆ ନିଯୋଗ ପକ୍ଷରୁ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନେଇ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଆଲୋଚନା କରିବା ସହ ଉକ୍ତ ଚାଉଳ ମହାପ୍ରଭୁଙ୍କ କାର୍ୟ୍ୟରେ ଲାଗିବା ନିମନ୍ତେ ଆଉ ଉପଯୁକ୍ତ ନ ଥିବାରୁ ତାକୁ ଗରିବ ତଥା ବିଭିନ୍ନ ଅନାଥ ଆଶ୍ରମ ଆଦିରେ ପ୍ରଦାନ କରିବା ନିମନ୍ତେ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନାକୁ ଅନେକ ଦିନ ବିତିଥିଲେ ମଧ୍ୟ ଅର୍ପଣ ଚାଉଳ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳରେ ବର୍ଷା ପାଣି ମିଶି ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିଲା। ଦୁର୍ଗନ୍ଧ ଯୋଗୁ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ନାହିଁ ନ ଥିବା ସମସ୍ୟା ଭୋଗିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇ କହିଛନ୍ତି, ସୁଆର ମହାସୁଆର ଜିମାରେ ଥିବା ଚାଉଳ କିଛି ବ୍ୟବହାର ହୋଇପାରି ନ ଥିଲା। ତେବେ ସେଗୁଡ଼ିକ କିପରି ଫିଡିଂ କରି ବ୍ୟବହାର କରିପାରିବେ ସେ ନେଇ ଆଲୋଚନା ହୋଇଛି। ପଦକ୍ଷେପ ନେବା ଆରମ୍ଭ ହୋଇଛି। ତେଣୁ ଆସନ୍ତା ଦିନେ ଦୁଇଦିନ ମଧ୍ୟ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ କହିଥିଲେ। ଶନିବାର ଜିଲାପାଳ ସୂଚନା ଦେବା ପରେ ରବିବାର ଏନେଇ ତ୍ୱରିତ କାର୍ୟ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ମିଲ୍‌କୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking