36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶବଦଳିଲା ପୋର୍ଟ ବ୍ଲେୟାରର ନାଁ; ଏଣିକି ଶ୍ରୀ ବିଜୟ ପୁରମ୍ ନାମରେ ହେବରେ ପରିଚିତ

ବଦଳିଲା ପୋର୍ଟ ବ୍ଲେୟାରର ନାଁ; ଏଣିକି ଶ୍ରୀ ବିଜୟ ପୁରମ୍ ନାମରେ ହେବରେ ପରିଚିତ

ନୂଆଦିଲ୍ଲୀ: ଭାରତ ସରକାର ଏବେ ବ୍ରିଟିଶ ସରକାର ସମୟରେ ନାମିତ ହୋଇଥିବା ପୋର୍ଟ ବ୍ଲେୟାରର ନାମକୁ ପରବିର୍ତ୍ତନ କରିଛନ୍ତି। ଏଣିକି ପୋର୍ଟ ବ୍ଲେୟାର, ଶ୍ରୀ ବିଜୟପୁରମ୍ ନାମରେ ଜଣାଯିବ। ଏନେଇ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଶାହ କହିଛନ୍ତି, ଦେଶକୁ ଔପନିବେଶିକ ତଥା ବ୍ରିଟିଶ ଛାପରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ, ଭାରତ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାମକୁ ପରିବର୍ତ୍ତନ କରାଯାଇଛି। ଏଣିକି ପୋର୍ଟ ବ୍ଲେୟାର ଶ୍ରୀ ବିଜୟ ପୂରମ ନାଁରେ ପରିଚୟ ହାସଲ କରିବ। ପ୍ରକାଶ, ଇଷ୍ଟ ଇଣ୍ଡିଆ କମ୍ପାନୀର ବ୍ରିଟିଶ ଉପନିବେଶ ନୌସେନା ଅଧିକାରୀ କ୍ୟାପ୍‌ଟେନ୍ ଆର୍ଚିବାଲ୍ଡ ବ୍ଲେୟାରଙ୍କ ନାମରେ ଏହି ସହରର ନାମକରଣ କରାଯାଇଥିଲା।
ଶାହ ଏକ ଏକ୍ସ ପୋଷ୍ଟ କରି ଲେଖିଛନ୍ତି, “ଶ୍ରୀ ବିଜୟପୁରମ୍ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିବା ସହ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଥିଲା। ତେବେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ (ବ୍ରିଟିଶ କମ୍ପାନୀ) ଶାସନ କରିବା ସମୟରେ ଏହି ଦ୍ୱୀପପୁଞ୍ଜର ନାମକରଣ ପୋର୍ଟ ବ୍ଲେୟାର କରାଯାଇଥିଲା। ଭାରତ ସ୍ୱାଧୀନତା ଲାଭ କରିବା ସତ୍ତ୍ୱେ ଏପ୍ରକାର ନାମକରଣ ଏକ ଔପନିବେଶିକ ଛାପକୁ ଦର୍ଶାଉଥିଲା। ବାସ୍ତବରେ ଶ୍ରୀ ବିଜୟ ପୁରମ୍ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ। ଏହା ପ୍ରଥମ ସ୍ଥାନ ଯେଉଁ ଠାରେ ଆମ ତ୍ରିରଙ୍ଗାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍ତୋଳନ କରିଥିଲେ। ଏଠାରେ ଥିବା ସେଲୁଲାର ଜେଲ୍‌ରେ ବୀର ସବରକର ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଦେଶ ପାଇଁ ସଂଘର୍ଷ କରିଥିଲେ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଅତୁଳନୀୟ ସ୍ଥାନ।” ଏଥିସହ ଏହି ଦ୍ୱୀପପୁଞ୍ଜର ଅଞ୍ଚଳକୁ ଏକଦା ଚୋଳ ସାମ୍ରାଜ୍ୟର ନୌସେନା ବେସ ଭାବେ ବ୍ୟବହାର କରାଯାଉଥିବା ବେଳେ ଆଜି ଏହା ଆମର ରଣନୀତିର ଗୁରୁତ୍ୱପୂର୍ଣ୍ଣ ବେସ ପାଲଟିଛି ବୋଲି ଅମିତ ଶାହ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ, ଆଣ୍ଡାମାନ ନିକୋବରର ୩ଟି ଦ୍ୱୀପପୁଞ୍ଜର ନାଁ ବଦଳାଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ରୋସ୍ ଆଇଲ୍ୟାଣ୍ଡ୍‌, ନେଲ୍ ଆଇଲ୍ୟାଣ୍ଡ୍ ଏବଂ ହାଭଲକ୍ ଆଇଲ୍ୟାଣ୍ଡ୍‌ର ନାମ୍ ସବୁ ପରିବର୍ତ୍ତନ କରିଥିଲେ ଏବଂ ଏଗୁଡ଼ିକର ନାମକରଣ ଯଥାକ୍ରମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ସହିଦ୍ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ଆଦି ରଖାଯାଇଥିଲା। ସେହିପରି ଏହି ମର୍ମରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଏବଂ ନୈତିକତାକୁ ପ୍ରତିଫଳିତ କରିବା ପାଇଁ ଏକ ନିରନ୍ତର ପ୍ରୟାସ ଜାରିରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking