29.1 C
Bhubaneswar
Saturday, September 28, 2024
Homeଓଡିଶାଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ସ୍ନାନଯାତ୍ରା। ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ। ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଛି। ମହାପ୍ରଭୁଙ୍କର ସବୁ ବେଶ ମଧ୍ୟରୁ ହାତୀ ବେଶ ମଧ୍ୟ ଅନ୍ୟତମ ଯାହାକି ସ୍ନାନପୂର୍ଣ୍ଣମାରେ ହୋଇଥାଏ । ଯାହାକୁ ଦେଖିବାକୁ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥାଏ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ର ହାତୀ ବେଶ ହୋଇଥାନ୍ତି । ସ୍ନାନଯାତ୍ରାର ଏହା ଅନ୍ୟତମ ଆକର୍ଷଣ । ହିନ୍ଦୁ ଧର୍ମରେ ଗଜାନନଙ୍କୁ ଅଗ୍ରଗଣ୍ୟ ଦେବତା ଭାବେ ପୂଜା କରାଯାଏ । ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକଳାପ ପ୍ରାରମ୍ଭରେ ଶ୍ରୀଗଣେଶଙ୍କୁ ପୂଜା କରିବାର ବିଧି ରହିଛି । ଏହି ନ୍ୟାୟରେ ବର୍ଷର ପ୍ରଥମ ଯାତ୍ରାରେ ଠାକୁରଙ୍କର ଗଜାନନ ବେଶ ହେବା ଶୁଭାରମ୍ଭର ସୂଚନା ଦିଏ । ଏହି ବେଶ ପଛରେ ମଧ୍ୟ ରହିଛି ଏକ ସୁନ୍ଦର କିମ୍ବଦନ୍ତୀ । ଶ୍ରୀଜଗନ୍ନାଥ ଭକ୍ତର ଠାକୁର ବୋଲି ବିଶ୍ବବିଦିତ । ସେ ଭକ୍ତିରେ ବନ୍ଧା ପଡ଼ିଯାଆନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ବିଷୟରେ ଆସନ୍ତୁ ଜାଣିବା… ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ତେବେ ପଣ୍ଡିତ ଗଣପତି ଭଟ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଠାକୁରଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡ଼ିଥିଲା । ଏକଦା ଗଣପତି ଭଟ୍ଟ ଏହି ସ୍ନାନଯାତ୍ରା ସମୟରେ ଆସିଥାନ୍ତି ପୁରୀ । ଗଜପତିଙ୍କ ସହ ଭେଟ ସମୟରେ ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଦେଖାକି ଯିବା ପାଇଁ କହିଲେ । ଶ୍ରୀଗଣେଶଙ୍କ ବ୍ୟତୀତ ଅନ୍ୟ କୌଣସି ଦେବଦେବୀଙ୍କୁ ସ୍ବୀକାର କରୁନଥିବା ଗଣପତି ଭଟ୍ଟ ରାଜାଙ୍କ କଥା ଆମାନ୍ୟ କରିପାରିଲେ ନାହିଁ । ମନରେ କୁଣ୍ଠା ନେଇ ସ୍ନାନବେଦୀ ନିକଟକୁ ଗଲେ ଦର୍ଶନ ଲାଗି । ତେବେ ଏ କ’ଣ! ସେଠାରେ ସେ କାହାକୁ ଦେଖୁଛନ୍ତି? ଶ୍ରୀଜଗନ୍ନାଥ ନାହାନ୍ତି କି କୃଷ୍ଣ ନାହାନ୍ତି । ଠାକୁରଙ୍କ ମୁଖରୁ ଲମ୍ବି ଆସିଛି ବିଶାଳ ଶୁଣ୍ଢ । ଏ’ତ ତାଙ୍କର ଇଷ୍ଟଦେବତା ଗଣନାଥ । ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳା ଦେଖି ବିମୋହିତ ହେଇଗଲେ। ମନେ ମନେ ଲଜ୍ଜିତ ମଧ୍ୟ ହେଲେ । ଠାକୁର ତାଙ୍କୁ ଗଣନାଥ ବେଶରେ ଦର୍ଶନ ଦେଇ ସାରା ଜଗତକୁ ବାର୍ଭା ଦେଲେଯେ ସେ ହିଁ ସବୁକିଛି – ରାମ, କୃଷ୍ଣ, ଶିବ, ଗଣନାଥ.. ଇତ୍ୟାଦି ଇତ୍ୟାଦି । ଏହି ଘଟଣା ପରଠାରୁ ଶ୍ରୀଜଗନ୍ନାଥ ତଥା ବଡ଼ଠାକୁର ବଳଭଦ୍ରଙ୍କୁ ସ୍ନାନବେଦୀରେ ଯଥାକ୍ରମେ କଳା ଏବଂ ଧଳା ହାତୀ ବେଶରେ ସଜ୍ଜିତ କରାଯାଏ । ପରମ୍ପରା ମୁତାବକ ଏହି ବେଶ ଲାଗି ରାଘବଦାସ ମଠ ଏବଂ ଗୋପାଳତୀର୍ଥ ମଠ ସମସ୍ତ ସାମଗ୍ରୀ ପ୍ରଦାନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking