ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପାନେ ଦେବାପାଇଁ ବଳ କଷିଚାଲିଛି ଭାରତ । ଆତଙ୍କୀସ୍ତାନ ବୋଲାଉଥିବା ପାକିସ୍ତାନକୁ ଏଥର ଉଭୟ ହାତରେ ଓ ଭାତରେ ମାରିବାକୁ ସବୁପ୍ରକାରର ବଳ ଲଗାଇଚାଲିଛି ଭାରତ । ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ପାଣିରେ ପାକିସ୍ତାନକୁ ଶୋଷିଲା ରଖିବା ପ୍ଲାନ୍ ପାଦେ ଆଗେଇବା ପରେ ଏବେ ଆତଙ୍କୀସ୍ତାନର ମେରୁଦଣ୍ଡ ଭାଙ୍ଗିବାକୁ ମାଷ୍ଟରପ୍ଲାନ୍ କରିଛି ଭାରତ । ଏପରିକି ଭାରତର ପ୍ଲାନ୍-ବି ଯଦି ସଫଳ ହୁଏ ତେବେ ବିନା ଗୁଳି, ବୋମାରେ ଧ୍ବଂସ ହୋଇଯିବ ଶତ୍ରୁ ଦେଶ । ଆସନ୍ତୁ ଜାଣିବା ଏହା କେମିତି ହେବ ସମ୍ଭବ?
ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନଠୁ ପ୍ରତିଶୋଧ ନେବାକୁ ରକ୍ତଚାଉଳ ଚୋବାଉଛି ଭାରତ । ଆତଙ୍କୀଙ୍କ ପାଇଁ ସ୍ବର୍ଗ ପାଲଟିଥିବା ପାକିସ୍ତାନ ଉପରେ ଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଘନଘନ ବୈଠକ କରିଚାଲିଛି ଭାରତ । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ପାକିସ୍ତାନର ମୁଣ୍ଡ ବିନ୍ଧା କଲାଣି । ପାକିସ୍ତାନକୁ ପୁଣିଥରେ ହାତରେ ନୁହେଁ ଭାତରେ ମାରିବାକୁ ଭାରତ ପ୍ଲାନ୍-ବି ପ୍ରସ୍ତୁତ କରିଛି । ଅର୍ଥାତ୍ ପୁଣିଥରେ ପାକିସ୍ତାନକୁ ‘ଗ୍ରେ ତାଲିକା’ରେ ସାମିଲ କରିବା ସହ (ଆଇଏମଏଫ୍) ବା ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ସହାୟତାକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବଳ ଲଗାଇଦେଇଛି ଭାରତ ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ଆତଙ୍କୀ ପାଣ୍ଠି ଏବଂ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ୍ ଫୋର୍ସ ବା ( ଏଫଏଟିଏଫ୍)’ ଗ୍ରେ ତାଲିକା’ରେ ପାକିସ୍ତାନକୁ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଅନ୍ୟ ସଦସ୍ୟ ଦେଶମାନଙ୍କଠାରୁ ସମର୍ଥନ ସଂଗ୍ରହ କରୁଛି । ପାକିସ୍ତାନ ଜୁନ୍ ୨୦୧୮ ରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ FATF ‘ଗ୍ରେ ତାଲିକାରେ ଥିଲା, ଯାହାକି ପାକ୍ ପାଇଁ ବିଦେଶୀ ନିବେଶ ଏବଂ ପାଣ୍ଠି ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା ।