17.1 C
Bhubaneswar
Saturday, January 17, 2026
Homeଓଡିଶାକର୍ଣ୍ଣାଟକୀ ସଙ୍ଗୀତ ଓ ସନ୍ତୁର ବାଦନରେ ସଙ୍ଗୀତମୁଖର ରାଜାରାଣୀ

କର୍ଣ୍ଣାଟକୀ ସଙ୍ଗୀତ ଓ ସନ୍ତୁର ବାଦନରେ ସଙ୍ଗୀତମୁଖର ରାଜାରାଣୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ରଙ୍ଗୀନ ଆଲୋକ ଏବଂ ପିପିଲି ଚାନ୍ଦୁଆରେ ସଜ୍ଜିତ ସୁନ୍ଦର ରାଜାରାଣୀ ମନ୍ଦିରର ସବୁଜ ପରିବେଶର ଶିତୁଆ ସନ୍ଧ୍ୟାରେ ମହାନ କଳାକାରମାନଙ୍କ ଦ୍ୱାରା ମନୋରମ ଏବଂ ସୁମଧୁର ସଙ୍ଗୀତ ସହିତ ସମନ୍ୱିତ ଦ୍ୱିତୀୟ ସନ୍ଧ୍ୟା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ସୁଦୂର ଚେନ୍ନାଇରୁ ଆସିଥିବା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ସୁମିତ୍ରା ବାସୁଦେବଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ । ପ୍ରଥମ ଅର୍ଘରେ ରାଗ କନଡ ଏବଂ ତାଳ ମିଶ୍ରଚାପୁରେ ମୁଥୁସ୍ଵାମୀ ଦିକ୍ଷତାରଙ୍କ ରଚନା ଶ୍ରୀ ମାତୃ ଭୂତମ ପରେ ପରେ ରାଗ ତାନମ ପଲ୍ଲବୀ ଓ ଆଦିତାଳ ଉପରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭବକୁ ଉଚ୍ଚାଙ୍ଗ ସ୍ୱରରେ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ । ତାଙ୍କର ଏହି ଉଚ୍ଚକୋଟୀର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ତାଙ୍କୁ ବେହେଲାରେ ଏଲ ରାମକୃଷ୍ଣାନ, ମୃଦଙ୍ଗମରେ କେ ଅରୁଣ ପ୍ରକାଶ ଏବଂ ଘଟମରେ ଚନ୍ଦ୍ର ଶେଖର ସହଯୋଗ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ସନ୍ତୁର ବାଦକ ପଣ୍ଡିତ ଅଭୟ ରୁସ୍ତମ ସୋପୋରୀ ଏବଂ ସାଥିଙ୍କ ଦ୍ଵାରା ପ୍ରଥମେ ସୁଫିଆନା ଶୈଳୀରେ ଏବଂ ପରେ ପରେ ବିଭିନ୍ନ ପାରମ୍ପରିକ ରଚନାରେ ସନ୍ତୁର ବାଦନ କରିଥିଲେ, ଯାହା ବହୁତ ଶାନ୍ତ ଏବଂ ସୁମଧୁର ଥିଲା । ସେ ତାଙ୍କର ଯାଦୁକରୀ ହାତରେ ସନ୍ତୁରର ତାରରେ ସ୍ଵରର ମୂର୍ଚ୍ଛନା ଭରିଥିଲେ । ତାଙ୍କ ସହିତ ପଖୱାଜରେ ରିଷି ଶଙ୍କର ଉପାଧ୍ୟାୟ, ତବଲାରେ ଉଜିତ ଉଦୟ କୁମାର ଏବଂ ଘଟମରେ ବରୁଣ ରାଜାଶେଖରନ ଥିଲେ । କାର୍ଯ୍ୟକ୍ରମଟି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଦ୍ୱିତୀୟ ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ; ପ୍ରଫେସର ଅପର୍ଣ୍ଣା ସୋପୋରି; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ଵାଇଁ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ସାଧନା ଶ୍ରିବାସ୍ତବ ଓ ଡକ୍ଟର ସଂଗୀତା ଗୋସାଇଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking