କେନ୍ଦ୍ରାପଡା: ସାରା ରାଜ୍ୟରେ ବର୍ତ୍ତମାନ ସଡ଼କ ସୁରକ୍ଷା ଅଭିଯାନ ଚାଲୁଛି। କେନ୍ଦ୍ରାପଡ଼ା ପରିବହନ ବିଭାଗର କଟକଣା କୋହଳ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି। ବିଶେଷକରି ନାବାଳକ ଓ ନାବଳିକାମାନଙ୍କ ଯୋଗୁଁ ଏହି ଦୁର୍ଘଟଣା ବଢିବାରେ ଲାଗିଛି। ପ୍ରତିଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏବେ ୧୮ବର୍ଷରୁ କମ୍ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ନାବାଳକଙ୍କ ଉପରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହିତ ଜୋରିମାନା କରାଯାଇ ଅଭିଭାବକମାନଙ୍କୁ ବନ୍ଧାଯିବା ପାଇଁ ମଧ୍ୟ ରାଜ୍ୟ ସରକାର ଗତ ୨୦୨୩ ମସିହାରେ ନିଷ୍ପତି ନେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇପାରିଲା ନାହିଁ।
୧୮ବର୍ଷ ହୋଇନଥିବା ବିନା ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ଧରାଯିବ। ଏ କ୍ଷେତ୍ରରେ ଗାଡ଼ି ମାଲିକଙ୍କ ନାଁରେ ଏତଲା ରୁଜୁ ସହି ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ ମଧ୍ୟ କରାଯିବା ପାଇଁ ମୋଟର ଯାନ ଆଇନ୍ (୪) ଅନୁଯାୟୀ ଯେଉଁମାନଙ୍କ ବୟସ ୧୮ବର୍ଷରୁ କମ୍ ହୋଇଥବା ସେମାନଙ୍କ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ। ତେଣୁ ୧୯୯ (ଏ) ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଗାଡ଼ି ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଉକ୍ତ ଗାଡ଼ିକୁ ଜବତ କରାଯାଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନ କରାଯିବା ସହିତ ଉକ୍ତ ନାବାଳକ କିମ୍ବା ନାବାଳିକାଙ୍କୁ ଯେପରି ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ନ ମିଳିବା ପାଇଁ ଆଇନ କରାଯାଇଥିଲା। ଏ ନେଇ ରେକର୍ଡ କମ୍ପ୍ୟୁଟରରେ ରଖାଯିବ। ହେଲେ ଯେଉଁ ଗାଡ଼ିଗୁଡ଼ିକ ୫୦ସିସିରୁ କମ୍ ହୋଇଥବ ସେମାନଙ୍କ ଅଭିଭାବକଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀମାନଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ମିଳିପାରିବ। ମାତ୍ର ବଜାରରେ ଏବେ ୫୦ କିମ୍ ସିସି ଗାଡ଼ି ଉପଲବ୍ଧ ନାହିଁ। ତେଣୁ କୌଣସି ନାବାଳକ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଦ୍ୟୁତ୍ ଚାଳିତ ଯାନବାହନ (ଇଭି) ଗାଡ଼ି ଗୁଡ଼ିକ ଉପରେ ପରିବହନ ବିଭାଗର ବୈଷୟିକ ଟିମ୍ ଅନୁଧ୍ୟାନ କରି ମୋଟର ଯାନ ଆଇନ ୧୨୬ ଧାରା ଅନୁଯାୟୀ କରି ଗାଡ଼ି ଯାଞ୍ଚ କରାଯିବ ଯେଉଁ ଗାଡ଼ିଗୁଡ଼ିକର ଓଜନ ୬୦ କିଲୋରୁ କମ୍ ଥିବା ଘଣ୍ଟା ପ୍ରତି ୨୫ କିଲୋମିଟରରୁ ଅଧିକ ବେଗରେ ଯାଇ ପାରୁନଥିବ ଏବଂ ଏହାର ଇଲେକ୍ଟ୍ରି ବ୍ୟାଟେରି ପାଓା୍ୱର ୦.୨୫ କିଲୋୱାଟରୁ ଅଧିକ ହେଇନଥିବ ଅଭିଭାବକଙ୍କ ସ୍ୱୀକୃତି ଓ ପରିବହନ ବିଭାଗର ଅନୁମତି କ୍ରମେ ୧୮ବର୍ଷରୁ କମ୍ ପିଲା ଏହାକୁ ଚଳାଇପାରିବେ।
କିନ୍ତୁ ଏଥିଲାଗି ହେଲମେଟ୍ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମୋଟର ଯାନ ଆଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନାବାଳକ ଗାଡ଼ିଚାଳକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବା ପାଇଁ ସେତେବେଳେ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ବିଦ୍ୟାଳୟ ଆଖପାଖରେ ଏହି ଧରପଗଡ଼ ଜୋରଦାର କରାଯିବା ପାଇଁ ସମସ୍ତ ଆରଟିଓଙ୍କୁ ମଧ୍ୟ ନିର୍ଦ୍ଦେସାନାମା ଜାରି କରାଯାଇଥିଲା କିନ୍ତୁ ଆଜି ଯାଏଁ ଏହାକୁ କେନ୍ଦ୍ରାପଡାରେ କାର୍ଯ୍ୟକାରି କରାଯାଇପାରିଲା ନାହିଁ। ବିନା ପଞ୍ଜୀକରଣ ଇ-ଯାନ ଗୁଡ଼ିକ ମୋଟର ଯାନ ଆଇନ ଅନ୍ତର୍ଭୁକ୍ତ ହେଉନଥିବାରୁ ସେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉନାହିଁ। ଏଥିସହିତ ବିନା ପଞ୍ଜୀକରଣ ଇ-ଯାନର ଓଜନ ୬୦ କେ.ଜି.ରୁ କମ ୨୫ କିଲୋମିଟରରୁ ଅଧିକ ବେଗରେ ଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ଥିଲେ ମଧ୍ୟ ତାହା ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। ଅଧିକ ବେଗରେ ଯାଉଥିବା ଗାଡ଼ି ଯାଂଚ କରାଯାଇ ଗାଡି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜିଲ୍ଲାରେ ଦୁର୍ଘଟଣା ହାର ହ୍ରାସ ନିମନ୍ତେ ଏପରି ସ୍ୱତନ୍ତ୍ର ଅଭିଯାନ ବିଶେଷ ସହାୟକ ହେବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବ୍ୟବସ୍ଥା ଥିଲାବେଳେ ତାହା କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉନାହିଁ କିମ୍ବା ନାବାଳକ ଗାଡି ଚାଳନା ଉପରେ ରୋକ୍ ଲଗାଯାଉନାହିଁ କି ଜୋରିମାନା ଏବଂ ଅଭିଭାବକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ବଢିବାରେ ଲାଗିଛି। ତେଣୁ ଆଞ୍ଚଳିକ ପରିବହନ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।










