19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପୁଣି ଉତ୍ତେଜନାଭରା ବୟାନ୍ ଦେଲେ ଇରାନ୍ ସୁପ୍ରିମ୍ ଲିଡର; ଅଧିକ ସମୟ ତିଷ୍ଠିବନି ଇସ୍ରାଏଲ୍‌

ପୁଣି ଉତ୍ତେଜନାଭରା ବୟାନ୍ ଦେଲେ ଇରାନ୍ ସୁପ୍ରିମ୍ ଲିଡର; ଅଧିକ ସମୟ ତିଷ୍ଠିବନି ଇସ୍ରାଏଲ୍‌

ତେହରାନ୍‌ : ଇରାନ୍ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବେଶ୍ ବଢ଼ିଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ୍ ସେନା ଏବେ ଇରାନ୍ ଉପରେ ଏକ ବଡ଼ ଧରଣର ଜବାବୀ ହମ୍‌ଲା ପାଇଁ ପ୍ରସ୍ତୁତି ଚଳାଇଥିବା ନେଇ ମଧ୍ୟ ସୂଚନା ଆସିବାରେ ଲାଗିଛି। ଇ୍ରସାଏଲ୍ ସେନା ମୁଖ୍ୟତଃ ଇରାନ୍‌ର ଆଣବିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବ ବୋଲି ଆଶଙ୍କା କରାଯାଉଛି। ଇରାନ୍ ମଧ୍ୟ ଇସ୍ରାଏଲ୍‌ର ପାଲଟା ଆକ୍ରମଣ ନହେବା ପର୍ଯ୍ୟନ୍ତ ନିଜ ଆଡ଼ୁ ଅସ୍ତ୍ରବିରତି ପାଳନ କରିବ ବୋଲି ସ୍ପଷ୍ଟ କରିଛି। ତେବେ ଏଭଳି ସ୍ଥିତିରେ ଇରାନ୍‌ର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲି ଖାମେନେଇ ଆଜି ପୁଣି ଇସ୍ରାଏଲ୍‌କୁ ଭଡକାଇବା ଭଳି ବୟାନ୍‌ବାଜି କରିବା ଦେଖିବାକୁ ମିଳିଛି।
ଖାମେନେଇ କହିଛନ୍ତି, “ଇସ୍ରାଏଲ୍ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବନି। ଇସ୍ରାଏଲର ଅହଂକାର ଏହାକୁ ନଷ୍ଟ କରିଦେବ।” ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଶୁକ୍ରବାର ପୂରା ବିଶ୍ୱକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ ଇରାନ୍‌ର ଏକ ବଡ଼ ମସଜିଦ୍ ଛାତରେ ଛିଡା ହୋଇ ଏଠାରେ ଏକଜୁଟ୍ ହୋଇଥିବା ହଜାର ହଜାର ଇରାନ୍ ନାଗରିକଙ୍କୁ ସେ ଏପ୍ରକାର ଭାଷଣ ଦେଇଛନ୍ତି। ଏହି ଅବସରରେ ଖାମେନେଇ ବିଶ୍ୱର ସମସ୍ତ ମୁସଲିମ୍‌ବହୁଳ ଦେଶ ତଥା ଆରବ ଦେଶଗୁଡ଼ିକୁ ଏକଜୁଟ୍ ହୋଇ ଇସ୍ରାଏଲ୍ ବିରୋଧରେ ଛିଡାହେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଆମେରିକାକୁ ଟାର୍ଗେଟ୍ କରି ମଧ୍ୟ ଖାମେନେଇ କହିଛନ୍ତି, “ଇସ୍ରାଏଲ ଆମେରିକା ପାଇଁ କେବଳ ଗୋଟିଏ ଅସ୍ତ୍ର ବ୍ୟତୀତ ଅନ୍ୟ କିଛି ବି ନୁହେଁ। ଆମେରିକା ଏହି ଅଞ୍ଚଳର ସମସ୍ତ ସମ୍ପଦ ଓ ଜମିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ସୁତରାଂ ଇସ୍ରାଏଲ୍‌କୁ ଢ଼ାଲ କରି ଆମେରିକା ଏସବୁ ଖେଳ ଖେଳୁଛି। ତେବେ ଆମେରିକା ପାଇଁ ଅସ୍ତ୍ର ସାଜିଥିବା ଏହି ଇହୁଦୀମାନଙ୍କୁ ପୂରା ମୂଳରୁ ଉପାଡ଼ି ଦିଆଯିବ। ତାଙ୍କର କୌଣସି ମୂଳ ନଥିଲା। ସେମାନେ କେବଳ ଆମେରିକା ବଳରେ ବଳିଆନ ହୋଇଛନ୍ତି। ଇସ୍ରାଏଲ ବୋଲି କୌଣସି ଦେଶ ନଥିଲା। ଆଗକୁ ମଧ୍ୟ ଏହି ଦେଶ ରହିବ ନାହିଁ।”
କେବଳ ସେତିକି ନୁହେଁ ଖାମେନେଇ ଇସ୍ରାଏଲର ତେଲ ଅଭିଭ୍ ଠାରେ ହୋଇଥିବା ମିସାଇଲ ମାଡ଼କୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ଲୋକଙ୍କ ସେବା ବା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ମାଡ଼ ହୋଇଥିବା ସେ କହିଛନ୍ତି। ସେ ପାଲେଷ୍ଟାଇନ ଓ ଲେବାନନ ପକ୍ଷରୁ ଇସ୍ରାଏଲ ବିରୋଧରେ ଚାଲିଥିବା ଅଭିଯାନକୁ ମଧ୍ୟ ସମର୍ଥନ କରିଛନ୍ତି। ନିଜ ଭାଷଣରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ହିଜବୁଲ୍ଲାର ମୁଖ୍ୟ ହାସନ ନସରଲ୍ଲାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଗାଜାଷ୍ଟ୍ରିପ୍‌ରେ ଲଢ଼ୁଥିବା ହମାସ୍ କର୍ମକର୍ତ୍ତା ଏବଂ ଲେବାନନ୍‌ର ହିଜବୁଲ୍ଲା କର୍ମକର୍ତ୍ତାଙ୍କୁ ସହଯୋଗ କରିବା ଦାୟିତ୍ୱ ସମସ୍ତ ମୁସଲିମମାନଙ୍କର। ଅଲ୍ ଅକ୍‌ସା ମସ୍‌ଜିଦ ପାଇଁ ଏମାନେ ଲଢ଼ୁଥିବା ଇସ୍ରାଏଲ ବିରୋଧୀ ଲଢ଼େଇକୁ ସମର୍ଥନ କରିବାକୁ ପଡ଼ିବ। ନିଜ ସୁରକ୍ଷା ପାଇଁ ଇରାନ ପାଖରେ ସବୁ ପ୍ରକାରର ଅଧିକାର ରହିଛି। ଇହୁଦୀ ଦେଶ ପକ୍ଷରୁ ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବାକୁ ଇରାନ ପ୍ରସ୍ତୁତ ଥିବା ମଧ୍ୟ ଖାମେନେଇ କହିଛନ୍ତି। ତେହରାନ୍‌ରେ ଆୟୋଜିତ ଖାମେନେଇଙ୍କ ଏହି ସଭାରେ ଉପସ୍ଥିତ ଇରାନୀ ନାଗରିକମାନେ ହସନ୍ ନସରଲ୍ଲା ପୋଷ୍ଟର ଧରି ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର କୌଣସି ଏକ ଅଜ୍ଞାତ ସ୍ଥାନରେ ନସରଲ୍ଲା ମୃତଦେହକୁ କବର ଦିଆଯାଇଥିବା ନେଇ ରିପୋର୍ଟ ମଧ୍ୟରେ ତେହରାନ୍‌ରେ ପ୍ରତିକାତ୍ମକ ଭାବେ ନସରଲ୍ଲା ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିବା ସୂଚନା ମିଳିଛି।
ପ୍ରକାଶ, ଇ୍ରସାଏଲ୍ ଗୁଇନ୍ଦା ବିଭାଗ ‘ମୁସାଦ୍‌’ ବର୍ତ୍ତମାନ ସୁଦ୍ଧା ନିଜ ପ୍ରତିପକ୍ଷର ଅନେକ ଶୀର୍ଷସ୍ତରୀୟ ନେତାଙ୍କୁ ନିପାତ କରିବାରେ ସଫଳ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଖାମେନେଇଙ୍କ ଜୀବନ ପ୍ରତି ମଧ୍ୟ ଆଶଙ୍କା ରହିଥିବା ଇରାନ୍ କହିଆସୁଛି। ସୁତରାଂ ଇରାନ୍ ଏବେ ଖାମେନେଇଙ୍କୁ ସୁରକ୍ଷିତ ରଖିବାକୁ ଯଥାସମ୍ଭବ ପ୍ରୟାସ କରୁଥିବା ପରିପ୍ରେକ୍ଷୀରେ ନିୟମିତ ଭାବେ ଠିକଣା ବଦଳାଇବା ପୂର୍ବକ ଗୁପ୍ତ ସ୍ଥାନରେ ରଖୁଛି। ଏହାସତ୍ତ୍ୱେ ଖାମେନେଇ ଆଜି ଖୁଲମଖୁଲ୍ଲା ଇସ୍ରାଏଲ୍ ବିରୋଧରେ ଏପ୍ରକାର ଭାଷଣ ଦେଇଛନ୍ତି। ଇରାନ ସରକାରଙ୍କ ପକ୍ଷରୁ ଏହାକୁ ଖାମେନେଇଙ୍କ ଧାର୍ମିକ ପ୍ରବଚନ ଭାବେ ଅଭିହିତ କରାଯାଉଥିବା ବେଳେ ବାସ୍ତବରେ ସେ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି।
ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ୍ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଲେବାନନ୍ ଉପରେ ବୋମାବର୍ଷା କରାଯାଇଥିବା ବେଳେ ଏଥିରେ ହିଜବୁଲ୍ଲା କ୍ଷେପଣାସ୍ତ୍ର ପ୍ରକଳ୍ପ ମୁଖ୍ୟ ମହମ୍ମଦ ୟୁସୁଫ୍ ଅନୀସି ଏବଂ ନସରଲ୍ଲାର ଉତ୍ତରାଧିକାରୀ ତଥା ହିଜବୁଲ୍ଲାର ନୂଆ ନୂଆ ମୁଖ୍ୟ ସାଜିଥିବା ହାସେମ୍ ସାଫିଦ୍ଦିନ ମଧ୍ୟ ନିହତ ହୋଇଥିବା ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) ଦାବି କରିଛି। ତେବେ ହିଜବୁଲ୍ଳା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନଥିବାରୁ ଘଟଣାର ସତ୍ୟାସତ୍ୟକୁ ଅପେକ୍ଷା ରହିଛି। ଇସ୍ରାଏଲ ସେନା ସୂଚନା ଅନୁସାରେ, ଅନୀସି ୧୫ ବର୍ଷରୁ ଅଧିକ ସମୟ ଧରି ହେଜବୋଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ବିକାଶ ଦିଗରେ ସକ୍ରିୟ ରୂପେ କାର୍ଯ୍ୟ କରିଆସୁଥିଲା। ଆତଙ୍କବାଦୀ କାର୍ଯ୍ୟକାଳାପକୁ ଅନ୍ତିମ ରୂପ ଦେବା ଲାଗି ଦରକାର ପଡ଼ୁଥିବା ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲା। ମେକାନିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଅନୀସିର ବ୍ୟାପକ ଅଭିଜ୍ଞତା ରହିଥିଲା। ହେଜବୋଲ୍ଲାର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking