ଗାଜିଆବାଦ: ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅଭିନେତ୍ରୀ ନୋରା ଫତେହିଙ୍କ ଭଳି ଦେଖାଯିବାକୁ ସ୍ତ୍ରୀକୁ ଅତ୍ୟାଚାର କରୁଥିଲେ ସ୍ବାମୀ । ଯାହାର ଅଭିଯୋଗ ମହିଳା ଜଣକ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି । ସୂଚନାନୁଯାୟୀ, ମହିଳା ଜଣଙ୍କୁ ତାଙ୍କ ସ୍ବାମୀ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପରି ଦେଖାଯିବା ପାଇଁ ବାଧ୍ୟ କରିଥିଲେ । ସେଥିପାଇଁ ତାଙ୍କୁ ପ୍ରତିଦିନ ୩ଘଣ୍ଟା ବ୍ୟାୟାମ କରିବାକୁ ବାଧ୍ୟ କରୁଥିଲେ । କୌଣସି ଦିନ ଯଦି ସେ ବ୍ୟାୟାମ କରିପାରୁ ନଥିଲେ ତେବେ ତାଙ୍କ ଖାଇବା ବନ୍ଦ କରିଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀ ଜଣେ ସରକାରୀ ଫିଜିକାଲ ଏଜୁକେସନ ଟିଚର ।
ଏହାରି ମଧ୍ୟରେ ସ୍ବାମୀ କହିଛନ୍ତି ଯେ, ଜୀବନ ବର୍ବାଦ ହେଇଗଲା । ସେ ନୋରା ଫତେହିଙ୍କ ଭଳି ଗୋଟେ ସୁନ୍ଦର ସ୍ତ୍ରୀ ପାଇପାରିଥାନ୍ତେ । ତାଙ୍କ ସ୍ତ୍ରୀ ଆଣିଥିବା ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି । ୩ଘଣ୍ଟା ବ୍ୟାୟାମ କରିବାକୁ ଚାହୁଁଥିଲେ କାରଣ ତାଙ୍କ ସ୍ତ୍ରୀ ବଲିଉଡ ଆକ୍ଟ୍ରେସଙ୍କ ଭଳି ଦେଖାଯାଇପାରିବେ । କୌଣସି ବି କାରଣ ବସତଃ ଯଦି ତାଙ୍କ ସ୍ତ୍ରୀ ବ୍ୟାୟାମ କରିପାରୁ ନଥିଲେ ତେବେ ତାଙ୍କୁ ସେ ଭୋକିଲା ରଖୁଥିଲେ । ଏଥିସହିତ ମହିଳା ଜଣଙ୍କ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ପ୍ରାୟତଃ ଅନ୍ୟ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଦେଖନ୍ତି । ଏସବୁକୁ ନେଇ ଯଦି ସେ ପ୍ରତିବାଦ କରନ୍ତି ତେବେ ତାଙ୍କୁ ମାଡ଼ ମାରିବା ସହିତ ଘରୁ ବାହାର କରିଦିଆଯିବାର ଧମକ ମଧ୍ୟ ଦିଅନ୍ତି । ତାଙ୍କ ଶ୍ୱଶୁର ଘର ଲୋକେ ସବୁବେଳେ ଯୌତୁକ ଦାବି କରୁଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ଖାଦ୍ୟପେୟ, ନିର୍ଯ୍ୟାତନା ଏବଂ ମାନସିକ ଚାପ ପାଇଁ ତାଙ୍କର ଗର୍ଭପାତ ହୋଇଥିଲା । ତେଣୁ ବର୍ତ୍ତମାନ ସେ ପୋଲିସ ପାଖରୁ ନ୍ୟାୟ ନିବେଦନ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ସହିତ, ପ୍ରମାଣ ଭାବରେ ଡାକ୍ତରୀ ରିପୋର୍ଟ ଏବଂ ହସ୍ପିଟାଲର କାଗଜପତ୍ର ମଧ୍ୟ ସଂଗ୍ରହ କରାଯାଉଛି ।










