34.1 C
Bhubaneswar
Saturday, April 4, 2026
Homeଅପରାଧଭଉଣୀ ଘରକୁ ଯିବା ପାଇଁ କହିବାରୁ... ସ୍ତ୍ରୀ’କୁ ବାଇକ୍‌ରେ ବାନ୍ଧି ଘୋଷାଡିଲା ସ୍ୱାମୀ

ଭଉଣୀ ଘରକୁ ଯିବା ପାଇଁ କହିବାରୁ… ସ୍ତ୍ରୀ’କୁ ବାଇକ୍‌ରେ ବାନ୍ଧି ଘୋଷାଡିଲା ସ୍ୱାମୀ

ଜୟପୁର:  ରାଜସ୍ଥାନର ନାଗୌର ଅଞ୍ଚଳରୁ ଭାଇରାଲ୍ ହୋଇଥିବା ୪୦ ସେକେଣ୍ଡ୍‌ର ଏକ ଭିଡିଓକୁ ନେଇ ଦେଶବ୍ୟାପୀ ତୀବ୍ର ଆଳୋଡନ ସୃଷ୍ଟି ହୋଇଛି । ଏହି ଭିଡ଼ିଓଟିରେ ଜଣେ ପୁରୁଷ ଏକ ବାଇକ୍ ଚଳାଉଥିବା ବେଳେ ପଛରେ ଜଣେ ମହିଳାଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ହାତଗୋଡ ବାନ୍ଧି ଘୋଷାଡି ନେଉଥିବାର ଦେଖିବାକୁ ମିଳିଛି । ତେବେ ଏସମ୍ପର୍କରେ ଅଧିକ ଛାନ୍‌ବିନ୍ କରାଯିବା ପରେ ଉକ୍ତ ପୁରୁଷଜଣକ ନିଜ ପତ୍ନୀଙ୍କୁ ହିଁ କୌଣସି ଏକ ଘଟଣାରେ ଦଣ୍ଡ ଦେବାକୁ ଯାଇ ଏପରି କରିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ପୀଡ଼ିତା ମହିଳାଜଣକ ଜୈଶଲମେର ଅଞ୍ଚଳରେ ରହୁଥିବା ନିଜ ଭଉଣୀ ଘରକୁ ଯିବାକୁ ଚାହୁଁଥିଲେ । ଏଥିପାଇଁ ସେ ଦୀର୍ଘଦିନ ଧରି ନିଜ ସ୍ୱାମୀ (ଅଭିଯୁକ୍ତ)କୁ ମଧ୍ୟ କହିଆସୁଥିଲେ । କିନ୍ତୁ ଅଭିଯୁକ୍ତ ସ୍ୱାମୀଜଣକ ନିଜ ପତ୍ନୀଙ୍କ କଥାକୁ ଶୁଣୁନଥିଲେ । ତେବେ ଭଉଣୀ କିମ୍ବା ନିଜ ବାପା ଘରକୁ ଯିବାକୁ ନେଇ ଯେତେବେଳେ ପତ୍ନୀ ଜିଦ୍‌ରେ ଅଡି ବସିଲେ ସେତେବେଳେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତଜଣକ ପତ୍ନୀଙ୍କ ହାତଗୋଡ ବାନ୍ଧି ନିଜ ବାଇକ୍ ପଛରେ ବାନ୍ଧି ଘୋଷାଡିବା ଆରମ୍ଭ କରିଦେଇଥିଲେ । ଏହି ଘଟଣାକୁ ଜଣେ ମୋବାଇଲ୍‌ରେ ରେକର୍ଡ କରିଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଜଣାପଡିଛି । ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଏହି ୩ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଜଣାପଡିଛି । ସବୁଠୁ ପରିତାପର ବିଷୟ ଏହି ଘଟଣାକୁ ସେହି ଅଞ୍ଚଳର ଅଧିକାଂଶ ଲୋକ ଦେଖୁଥିଲେ ମଧ୍ୟ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ କେହି ଆଗେଇ ଆସିନଥିଲେ । ଭିଡିଓରେ ପୀଡ଼ିତାଙ୍କ ଆକୁଳ ଅନୁରୋଧ, କାକୁତି-ମିନତିକୁ ଶୁଣି ମଧ୍ୟ ଲୋକେ ଚୁପ୍ ରହିବା ଭିଡିଓ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ପୁଲିସ କହିଛି ଯେ, ଗତ ମାସ ଏହି ଘଟଣା ଘଟିଥିଲା । କିନ୍ତୁ ମହିଳା କିମ୍ବା ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ କରାଯାଇନାହିଁ । ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତ ପ୍ରେମରାମ ମେଘୱାଲ (୪୨)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏସବୁ ଘଟଣା ମଧ୍ୟରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବାସ୍ତବରେ ପ୍ରେମରାମ ପୀଡ଼ିତା ମହିଳାଙ୍କୁ ଗତ ୧୦ମାସ ପୂର୍ବେ ୨ ଲକ୍ଷ ଟଙ୍କାରେ କିଣିଥିବା ଜାଣିବାକୁ ମିଳିଛି । ପ୍ରେମରାମ ମେଘୱାଲ୍ ଜଣେ ବେରୋଜଗାର ଏବଂ ନିଶାଖୋର ମଣିଷ ହୋଇଥିବା ବେଳେ ନିଜ ପତ୍ନୀକୁ ସଦାସର୍ବଦା ମାଡଧର କରୁଥିବା ଉକ୍ତ ଅଞ୍ଚଳବାସୀ ପୁଲିସ୍‌କୁ କହିଛନ୍ତି । ତେବେ ଘଟଣା ପରେ ମହିଳାଜଣକ ଜୈସଲମେର ରହୁଥିବା ନିଜ ଭଉଣୀ ଘରକୁ ଚାଲି ଯାଇଛନ୍ତି । ପ୍ରକାଶ, ଗୋଟିଏ ପଟେ କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ତଥା ହତ୍ୟା କରାଯିବା ଘଟଣାକୁ ନେଇ ଦେଶରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏବେ ନାଗୌର ଅଞ୍ଚଳରୁ ଏପ୍ରକାର ଭିଡିଓ ସାମ୍ନାକୁ ଆସିବା ନିଆଁରେ ଘିଅ ପକାଇବା ଭଳି ହୋଇଛି । ଦେଶରେ ମହିଳାମାନେ କେତେ ସୁରକ୍ଷିତ ସେନେଇ ଏକ ପ୍ରଶ୍ନ ମଧ୍ୟ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking