14.1 C
Bhubaneswar
Friday, January 16, 2026
Homeଓଡିଶାଭିତରେ ଗୃହ ସ୍ୱାଭାବିକ, ବାହାରେ କଂଗ୍ରେସ ସଭ୍ୟଙ୍କ ପ୍ରତିବାଦ

ଭିତରେ ଗୃହ ସ୍ୱାଭାବିକ, ବାହାରେ କଂଗ୍ରେସ ସଭ୍ୟଙ୍କ ପ୍ରତିବାଦ

ଭୁବନେଶ୍ୱର : ଭିତରେ ଗୃହ ସ୍ୱାଭାବିକ। ବିଧାନସଭା ଗେଟ୍ ବାହାରେ କଂଗ୍ରେସ ସଭ୍ୟଙ୍କ ପ୍ରତିବାଦ ଓ ଧାରଣା। ଅନ୍ୟପକ୍ଷରେ ନିଳମ୍ବିତ କଂଗ୍ରେସ ବିଧାୟକମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟିଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ଓ ବିରୋଧୀଙ୍କ ସ୍ୱର ଚାପି ଦେବାକୁ ଚାହିଁଛନ୍ତି ବୋଲି ସେଥିରେ ଅଭିହିତ କରାଯାଇଛି।

ଗତ ଗୁରୁବାର ଠାରୁ କଂଗ୍ରେସ ସଭ୍ୟଙ୍କ ଅନୁପସ୍ଥିତିରେ ବିଧାନସଭା ଚାଲିଛି। ବାଚସ୍ପତି ସୁରମା ପାଢ଼ୀ ନିଜ ଆସନ ଗ୍ରହଣ କରି ପ୍ରଶ୍ନକାଳ ଆରମ୍ଭ କରିବା ପୂର୍ବରୁ ବିଧାନସଭା ଚାରିପଟେ ଗଙ୍ଗା ଜଳ ଛିଞ୍ଚିଥିଲେ ବିଜେଡି ସଭ୍ୟ। ସେମାନେ ବିଧାନସଭାକୁ ମାଟି କଳସରେ ଆମ୍ବଡାଳ ସହାୟତାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବା ପରେ ଗୃହ ପ୍ରବେଶ କରିଥିଲେ। ଶୁକ୍ରବାର ବି ସମାନ ଓ ସ୍ୱାଭାବିକ ସ୍ଥିତି ଥିଲା। ପୂଣି ଶନିବାର ପ୍ରଶ୍ନକାଳ, ଶୂନ୍ୟକାଳ ସୁରୁଖୁରୁରେ ଶେଷ ହୋଇଥିଲା। ଏହାପରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ।

ସ୍ୱାଭାବିକ ଭାବେ ଗୃହ ଚାଲିଥିବାବେଳେ ଗୃହ ବାହାରେ ଅର୍ଥାତ ବିଧାନସଭା ମୁଖ୍ୟ ଗେଟ୍ ସମ୍ମୁଖରେ ନିଲମ୍ବିତ କଂଗ୍ରେସ ସଭ୍ୟମାନେ ଧାରଣା ଦେବା ସହ ସରକାରଙ୍କ ଅଗଣତାନ୍ତ୍ରିକ ନୀତି ବିରୋଧରେ ବିଶୋଦ୍‌ଗାର କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ଆମେ ବହିଷ୍କାର ହୋଇନାହୁୁଁ। ତେଣୁ ବିଧାନସଭା ପରିସରକୁ ଯାଇପାରିବୁ। ଏପରିକି ଗୃହର ଲବିକୁ ବି ଯାଇପାରିବୁ। କଂଗ୍ରେସ ବିଧାୟକମାନେ ଶାନ୍ତିର ପ୍ରତୀକ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀ ତଳେ ଶାନ୍ତିର ସହ ଧାରଣା ଦେବାକୁ ଚାହୁଁ। ମାତ୍ର ଆମକୁ ଭିତରକୁ ନଛାଡ଼ିବା ଦୁଃଖର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ସେହିପରି କଂଗ୍ରେସ ସଭ୍ୟ ଅଶୋକ ଦାସ କହିଥିଲେ, ମହିଳା ନିର୍ଯ୍ୟାତନା ବୃଦ୍ଧି ହୋଇ ଚାଲିଛି। ଏନେଇ ଆମେ ଗୃହ କମିଟି ଦାବି କରିଛୁ। ମୂଲତବୀରେ ଏହା ଉପରେ ଆଲୋଚନା ହୋଇଥିଲେ ହେଁ ସେମାନେ ଭିତ୍ତିହୀନ ତଥ୍ୟ କହି ଏଡାଇଯାଇଥିଲେ। ତେଣୁ ସର୍ବଦଳୀୟ ବୈଠକ ଡାକି ଏହାର ସମାଧାନ କରିବା ଜରୁରୀ। ମାତ୍ର ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ବିଧାନସଭା ଗେଟ୍ ସମ୍ମୁଖରେ କିଛି ସମାଧାନ ନହେବାରୁ ନିଳମ୍ବିତ କଂଗ୍ରେସ ସଭ୍ୟମାନେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ପଦକ୍ଷେପ ବରୋଧରେ ଅଭିଯୋଗ କରିଥିଲେ। ଉକ୍ତ ଟିମର ନେତୃତ୍ୱ ନେଇଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ। ବିଧାୟକମାନେ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ଏକ ସ୍ୱେଚ୍ଛାଚାରୀ ନିଷ୍ପତ୍ତି ଓ ବିରୋଧୀ ସ୍ୱରକୁ ଦବାଇ ଦେବା ମୁଖ୍ୟ ପ୍ରୟାସ। କଂଗ୍ରେସ ନେତାମାନେ ଯୁକ୍ତି ଦର୍ଶାଇଥିଲେ ଯେ, ଯଦି କମିସନ ସକ୍ରିୟ ହୋଇଥାଆନ୍ତା, ତେବେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ସମାଧାନ ଅଧିକ ପ୍ରଭାବଶାଳୀ ଭାବରେ ହୋଇପାରନ୍ତା। ତେଣୁ ଓଡ଼ିଶା ସରକାର ଗୃହ କମିଟି ଗଠନ କରୁ ନଥିବାରୁ କିମ୍ବା ବିକଳ୍ପ ପଦକ୍ଷେପ ନେଉ ନଥିବାରୁ କଂଗ୍ରେସ ଚିନ୍ତା ପ୍ରକଟ କରିଥିଲା। ରାଜ୍ୟ ସରକାର କେବଳ ଏହି ପ୍ରସଙ୍ଗକୁ ଅଣଦେଖା କରିବାକୁ ଚାହୁଁଛନ୍ତି ଏବଂ ଏପରି ଧାରଣା ଠିକ୍ ନୁହେଁ। ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଏହି ମାମଲା ଉପରେ ବିଚାର କରି ହସ୍ତକ୍ଷେପ କରିବାକୁ କହିଛନ୍ତି ବୋଲି ପିସିସି ସଭାପତି ଭକ୍ତ ଦାସ ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking