34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆଦିବାସୀଙ୍କ ଜମି ଉପରେ ବଢ଼ୁଛି ଜମି ମାଫିଆଙ୍କ ଲୋଭ

ଆଦିବାସୀଙ୍କ ଜମି ଉପରେ ବଢ଼ୁଛି ଜମି ମାଫିଆଙ୍କ ଲୋଭ

ପାଟନା :  ଜମିଜୁମା ବିବାଦରୁ ତୀବ୍ର ଉତ୍ତେଜନା ଏବଂ ଉତ୍ତେଜନାରୁ ସଂଘଠିତ ହୋଇଥିବା ହିଂସାକାଣ୍ଡ ଯୋଗୁ ପ୍ରାୟ ୮୦ ଘରେ ନିଆଁ ଲଗାଇ ଛାରଖାର କରିଦିଆଯାଇଛି । ଏଥିମଧ୍ୟରୁ ୨୧ଟି ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାରେ ଯଦିଓ ମୁଖ୍ୟ ଅଭିଯୁକ୍ତ ନନ୍ଦୁ ପାଶୱାନ୍ (ପ୍ରାଣପୁର ଗ୍ରାମର ସ୍ଥାୟୀ ବାସିନ୍ଦା) ସହ ୧୫ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ବିହାର ପୁଲିସ୍ ଗିରଫ କରିଛି କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ବିହାର ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିଛି । ବୁଧବାର ବିଳମ୍ବିତ ରାତିରେ ବିହାରର ନୱାଡା ଜିଲ୍ଲାରେ ଏପ୍ରକାର ପରିସ୍ଥିତି ଉତ୍ପନ୍ନ ହୋଇଛି ।
ନୱାଡା ଜିଲ୍ଲା ଏସ୍‌ପି ଅଭିନବ ଧିମାନ୍ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ ବର୍ମାଙ୍କ ସୂଚନାନୁସାରେ ନୱାଡା ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାନଗର ଅଞ୍ଚଳରେ ବର୍ଷ ବର୍ଷ ଧରି ମୁଖ୍ୟତଃ ୨ ଦଳିତ ବର୍ଗ (ମାଞ୍ଝୀ ଏବଂ ରବିଦାସ ସମ୍ପ୍ରଦାୟ)ର ଲୋକମାନେ ରହିଆସୁଛନ୍ତି । କିନ୍ତୁ ଏମାନଙ୍କୁ ଏଠାରୁ ହଟାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ (ଜମି ମାଫିଆ) ବରାବର ଚାପ ପକାଇ ଆସୁଛନ୍ତି । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କିଛି ଅଜଣା ଲୋକେ ଏଠାକୁ ଆସି ଏହି ଆଦିବାସୀମାନଙ୍କୁ ଜାଗା ଖାଲି କରିବାକୁ ଚେତାବନୀ ଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା । ତେବେ କିଛି ସମୟ ପରେ ଘଟଣା ସ୍ଥଳରୁ ଅଜଣା ଲୋକମାନେ ଚାଲିଯାଇଥିଲେ । କିନ୍ତୁ ରାତି ପ୍ରାୟ ୧୧.୩୦ ବେଳକୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଏଠାକୁ ଆସିଥିଲେ ଏବଂ ଆଦିବାସୀମାନେ ଶୋଇଥିବା ବେଳେ ସେମାନଙ୍କ ଘରେ ନିଆଁ ଲଗାଇଦେଇଥିଲେ । କିଛି ଦଳିତଙ୍କୁ ସେମାନେ ମାରପିଟ୍‌, ଗାଳିଗୁଲଜ କରିଥିବା ବେଳେ ଫାଙ୍କା ଗୁଳିମାଡ଼ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ କେହି ମୃତାହତ ହେବା ସମ୍ପର୍କରେ ଖବର ମିଳିନାହିଁ । ଏହି ଅଗ୍ନିକାଣ୍ଡରୁ ସମସ୍ତ ଆଦିବାସୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏସ୍‌ପି ଓ ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଯେଉଁ ଜମିକୁ ନେଇ ବିବାଦ ଲାଗି ରହିଛି ତାକୁ ନେଇ ଯାଞ୍ଚ ଚାଲିଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି । ଘଟଣା ସମ୍ପର୍କରେ ରାଜ୍ୟ ପୁଲିସ୍ ଡିଜି ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ସେ ସମୀକ୍ଷା ବୈଠକ କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଏହି ଘଟଣାରେ ଏଡିଜି ସ୍ତରର ଅଧିକାରୀଙ୍କୁ ତଦନ୍ତ କରିବାକୁ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । “ଡବଲ ଇଞ୍ଜିନ ସରକାର” ର ଜଙ୍ଗଲ ରାଜର ଏହା ଆଉ ଏକ ପ୍ରମାଣ ବୋଲି କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ସେପଟେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଏହି ଘଟଣାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking