ଭୁବନେଶ୍ୱର: କୋଲକାତାର ଆରଜି କର ମେଡିକାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିଆଁ ଏବେ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି। ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗରୁ ଓଡ଼ିଶା, ହାଇଦ୍ରାବାଦରୁ ମୁମ୍ବାଇ ଦେଶର ପ୍ରତିଟି ସହରରେ ଏହାକୁ ନେଇ ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ବିରୋଧ କରି ଆଜିଠାରୁ ଭାରତୀୟ ଭେଷଜ ପରିଷଦ (ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିପାଇଁ ଡାକ୍ତରୀ ସେବା ବ୍ୟାହତ ହୋଇଛି । ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଧର୍ମଘଟ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିଛି। ଏହାର ପ୍ରବାହ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।
ଫଳରେ ଅନେକ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। ପ୍ରକାଶ ଯେ କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ପ୍ରତିବାଦ କରି ଆଜି କ୍ୟାପିଟାଲ ହସ୍ପିଟାଲର ଜୁନିୟର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୨୦୦ରୁ ଅଧିକ ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଛି ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଆଇନ ନଆଣିଛନ୍ତି ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ଡାକ୍ତରୀ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। ଡାକ୍ତରଙ୍କ ବିକ୍ଷୋଭ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ରୋଗୀମାନେ ଫେରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ଓପିଡିରେ ପ୍ରତିଦିନ ପାଖାପାଖି ଦୁଇ ହଜାରରୁ ଅଧିକ ରୋଗୀ ଚିକିତ୍ସା ସେବା ପାଉଥିବା ବେଳେ ଏବେ ଏହି ସଂଖ୍ୟା ପାଖାପାଖି ଏକ ହଜାରକୁ ଖସି ଆସିଥିଲା । କିନ୍ତୁ ସକାଳୁ କିଛି ସମୟ ଓପିଡି ବନ୍ଦ ରହିଥିବାବେଳେ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷମ ହୋଇଥିଲା ଓପିଡି। ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସେହିପରି କଟକ ବଡ ଡାକ୍ତରଖାନାରେ ମଧ୍ୟ ଡାକ୍ତରମାନଙ୍କର ୨୪ଘଣ୍ଟିଆ ଆନ୍ଦୋଳନ ଦେଖିବାକୁ ମିଳିଛି। ଭାରତୀୟ ଚିକିତ୍ସକ ସଂଘର ଡାକରାରେ ଆଜିଠାରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସକ ମାନେ ୨୪ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେବଳ ଜରୁରୀ ସେବାକୁ ବାଦ ଦେଇ ଏହି ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀସେବା ସଂପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ବହୁ ଦୂରଦୂରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି। ଫଳରେ ରୋଗୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ଦୁଇଦିନ ହେବ ଜୁନିୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କର ଆନ୍ଦୋଳନ ଅବ୍ୟାହତ ରହିବ।
ରାଉରକେଲାରେ ମଧ୍ୟ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲ ସହ ଉତ୍କଳମଣି ଗୋପବନ୍ଧୁ ହୋମିଓପ୍ୟାଥିକ ହସ୍ପିଟାଲ ଏବଂ ମହାବିଦ୍ୟାଳୟ ସମସ୍ତ ହସ୍ପିଟାଲରେ ଆଜି ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫକୀର ମୋହନ ମେଡିକାଲ ଆଉଟଡୋରରେ ଡାକ୍ତରଙ୍କ ଧାରଣା ଦେଖିବାକୁ ମଳିଛି। ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ, ହାଉସ ସର୍ଜନ ଆସୋସିଏସନ ଏବଂ ଜୁନିଅର ଡାକ୍ତର ଆସୋସିଏସନ ମିଳିତ ଭାବେ କୋଲକାତାରେ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହ ଡାକ୍ତରଙ୍କ ସୁରକ୍ଷା ଦାବି କରିଛନ୍ତି। କେବଳ ସରକାରୀ ଡାକ୍ତର ନୁହେଁ ବରଂ ଘରୋଇ ମେଡିକାଲ ଗୁଡିକରେ ଆଉଟଡୋର ସେବା ବନ୍ଦ କରାଯାଇଛି। ଭୀମ ଭୋଇ ମେଡିଲକାଲ କଲେଜରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଯାହାଫଳରେ ଓପିଡି ସେବା ବନ୍ଦ ଥିବାବେଳେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି ।










