26.1 C
Bhubaneswar
Thursday, September 19, 2024
Homeଓଡିଶାବଢୁଛି ବୁଲା କୁକୁରଙ୍କ ଆତଙ୍କ, ଚିନ୍ତାରେ ଅଞ୍ଚଳବାସୀ

ବଢୁଛି ବୁଲା କୁକୁରଙ୍କ ଆତଙ୍କ, ଚିନ୍ତାରେ ଅଞ୍ଚଳବାସୀ

ସାକ୍ଷୀଗୋପାଳ: ସତ୍ୟବାଦୀର ୨୪ଗୋଟି ଗ୍ରାମପଞ୍ଚାୟତରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି। କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି। ପ୍ରତ୍ୟେକ ମେଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି। ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି। ଏସଂପର୍କରେ ଜନସାଧାରଣ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି।

କୁକୁର ବନ୍ଧ୍ୟାକରଣ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ଅଞ୍ଚଳରେ ବୁଲାକୁକୁରଙ୍କ ବଂଶ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା-ସାକ୍ଷୀଗୋପାଳ ବଜାର, କାଦୁଆ ଛକ, ପଟ୍ଟନାୟିକିଆ ଛକ ବିଶ୍ୱନାଥପୁର ଛକ, ଜୟପୁର ଛକ,ବନପୁର ଛକ, ଅଳଗୁମ ବେଢା ମାଳିସାହି ଛକ, ସାରଙ୍ଗଯୋଡି ବଜାର, ସୁକଳ ଛକ,ମଧୁବନ ଗ୍ରାମ, ଶ୍ରୀରାମଚନ୍ଦ୍ରପୁର, ଜୟରାମ ପୁର,ସାନ ଭିମଦାସପୁର ଛକ, ମଝିକେରା ଛକ ଆଦି ସ୍ଥାନରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି।ସନ୍ଧ୍ୟା ପରେ କୁକୁରମାନଙ୍କର ଦୈାରାତ୍ମ୍ୟ ବଢିଯାଉଥିବାର ଲକ୍ଷ୍ୟ କରାଯାଉଛି। ବିଶେଷକରି ପଥଚାରୀ ଓ ବାଇକ ଚାଳକମାନଙ୍କୁ ଦେଖି ବୁଲାକୁକୁରମାନେ କାମୁଡିବା ପାଇଁ ଗୋଡାଉଥିବାରୁ ସ୍ଥଳବିଶେଷରେ ଦୁଇ ଚକିଆ ଗାଡିର ଆରୋହୀମାନେ ବହୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଏହା ବ୍ୟତୀତ ବହୁ ଲୋକ କୁକୁର କାମୁଡାରେ ମଧ୍ୟ ଆହତ ହୋଇଛନ୍ତି।

ସନ୍ଧ୍ୟା ସମୟରେ ଟ୍ୟୁସନ ଫେରନ୍ତା ଛାତ୍ରଛାତ୍ରୀମାନେ ମଧ୍ୟ କୁକୁରଙ୍କ ଉପଦ୍ରବରୁ ଭୟଭୀତ ହୋଇପଡୁଛନ୍ତି। ବିଳମ୍ବିତ ରାତିରେ ଏହି ବୁଲା କୁକୁରମାନଙ୍କର ବିକଟାଳ ଧ୍ୱନୀ ଜନସାଧାରଣଙ୍କ ନିଦ୍ରା ଭଙ୍ଗ କରୁଛି। ଏହାବ୍ୟତୀତ କୁକୁରମାନେ ରାସ୍ତାର ଏଣେତେଣେ ମଳତ୍ୟାଗ କରି ପରିବେଶକୁ ପ୍ରଦୁଷିତ କରୁଛନ୍ତି। ବନ୍ଧ୍ୟାକରଣ ଯୋଜନା ଦିଶାହରା ହୋଇପଡ଼ି ଥିବାରୁ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏନେଇ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଦେବତିକ୍ତ ମିଶ୍ର କହିଛନ୍ତି ବର୍ଷା ଋତୁରେ କୁକୁର ପ୍ରଜନନ ପରେ ଏବେ କୁକୁର ଛୁଆ ଜନ୍ମହୋଇ ବଡ଼ ହୋଇଛନ୍ତି। ଛୁଆ ଉପରେ କୌଣସି ଆଘାତ ସୂଚନା ପାଇ ମାଈ କୁକୁର ମାନେ ଆକ୍ରମଣ କରିଥାଆନ୍ତି। ସେହିପରି କିଛି ଅଣ୍ଡିରା କୁକୁର ପ୍ରତିକ୍ରିୟାଶୀଳ ହୋଇ ମଧ୍ୟ ଆକ୍ରମଣ କରିଥାଆନ୍ତି। ଏଣୁ ରାସ୍ତାରେ ଯାତାୟାତବେଳେ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଉଚିତ। ଅଞ୍ଚଳରେ କୁକୁରମାନଙ୍କ ଆତଙ୍କରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking