27.1 C
Bhubaneswar
Friday, December 5, 2025
Homeଓଡିଶାଦୟନୀୟ ଅବସ୍ଥାରେ କୃଷକ କାଳ କାଟୁଛି

ଦୟନୀୟ ଅବସ୍ଥାରେ କୃଷକ କାଳ କାଟୁଛି

ଭୁବନେଶ୍ୱର: ଚଳିତ ବର୍ଷ ଅନୁକୂଳ ମୌସୁମୀ ଯୋଗୁଁ ଆମ ରାଜ୍ୟରେ ଚାଷକାମ ଆରମ୍ଭ ହୋଇସାରିଛି । ଓଡ଼ିଶା କୃଷି ପ୍ରଧାନ ଜିଲ୍ଲାମାନଙ୍କୁ ଏହି ଅବସରରେ ପ୍ରଦେଶ କିଷାନ କଂଗ୍ରେସର ଏକ ପ୍ରତିନିଧି ଦଳ ଶତପ୍ରତିଶତ ପଶ୍ଚିମଓଡ଼ିଶା କୃଷିବହୁଳ କିଛି ଜିଲ୍ଲାକୁ ଗସ୍ତକରି ଆମର ଚାଷୀ, ଚାଷ ଓ ଚାଷୀ ପରିବାରର ଅବସ୍ଥା ଦେଖି ସରକାରଙ୍କ ନିକଟରେ ସେସବୁର ଆଶୁ ପ୍ରତିକାର ଦାବି କରିଛି । ବେଳହୁଁ ସାବଧାନ ନହେଲେ ରାଜ୍ୟରେ କୃଷି ବ୍ୟବସ୍ଥା, କୃଷି ଅର୍ଥନୀତି ତଥା ଚାଷୀ ଓ ଚାଷର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଅତିବ କୃଷିପ୍ରବଣ ଜିଲ୍ଲା, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ସୋନପୁରର ଚାଷୀମାନେ ଏବେ ଆତଙ୍କରେ ସମୟ ବିତାଉଛନ୍ତି । ବାଲେଶ୍ୱର ଜିଲ୍ଳାରେ ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଆଦି ନଦୀରେ ବାରମ୍ବାର ଲଗାତର ବନ୍ୟାଫଳରେ ଧାନତଳି ପଚିଯାଇ ତଳିର ଅଭାବ ଓ ରୁଆ ବେଉଷଣ ଇତ୍ୟାଦି କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର କିଛି ଅଂଶରେ ଅନାବୃଷ୍ଟି କାରଣରୁ ଚାଷକାର୍ଯ୍ୟ ପଛାଇ ଯାଇଛି । ଅବଶିଷ୍ଟ ଜିଲ୍ଲାମାନଙ୍କରେ ଚାଷକାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ସରକାରୀ ବିହନ ଶତକଡ଼ା ଅଧାରୁ ଅଧିକ ପ୍ରତିଶତ ଗଜାନହେବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଏହା ଘୋର ଅସନ୍ତୋଷ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି । ଏବେ ଯାହାବା ତଳି ରହିଛି ସେଥିପାଇଁ ଆବଶ୍ୟକୀୟ ସାର ମିଳିବା ସମ୍ଭବ ହେଉନାହିଁ । ଏହିଭଳି ଏକ ଘଡ଼ିଷନ୍ଧି ମୂହର୍ତ୍ତରେ ଚାଷୀ ବିଚରା ଘରଛାଡ଼ି କ୍ଷେତରେ ଦିନ କାଟୁଥିବା ବେଳେ ସରକାରୀ ଉଦାସୀନତା ଓ ମାରପେଞ୍ଚ ନୀତିର ସେ ଶିକାର ହେଉଛି ଏବଂ ସେଥିପାଇଁ ତାର ଚାଷକାର୍ଯ୍ୟ ମଧ୍ୟ ଘୋର ବାଧାପ୍ରାପ୍ତ ହେଉଅଛି ।

ସମ୍ପ୍ରତି ଟୋକନପ୍ରାପ୍ତି ଓ ପଞ୍ଜିକରଣ ପାଇଁ ଚାଷୀଙ୍କୁ ଇକେୱାଇସି ଓ ବଂଶାବଳି ନିରୂପଣ କାର୍ଯ୍ୟ ଚାଷୀ ଅସନ୍ତୋଷ ଓ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ଏକ ପ୍ରମୁଖ କାରଣ । ଚାଷୀକିଏ ଚାଷ କାହାର ଅଛି ଏକଥାତ ରାଜସ୍ୱ ନୀରିକ୍ଷକଙ୍କ ଖାତା ବା ସରକାରୀ ଖତିଆନରେ ରହିଛି । କ୍ଷେତ ଉପରେ ସରକାରୀ ରେକର୍ଡକୁ ଏଥିପାଇଁ ମେଳାଯାଇପାରେ । ଏ ସବୁ କଥା ନକରି ଯାହା ସରକାରଙ୍କର ବା ସରକାରୀ କଳର କାମ ସେ ଦାୟିତ୍ୱ ଚାଷୀ ଉପରକୁ ଠେଲି ଚାଷୀକୁ ଗୋଲକ ଧନ୍ଦା ମଧ୍ୟକୁ ଟାଣିନେବା କେତେଦୂର ଯୁକ୍ତିଯୁକ୍ତ । ଇକେୱାସି ପରୀକ୍ଷାର ସମ୍ମୁଖିନ କରାଇ ଓ ଦିନ ଦିନ ଚାଷୀକୁ ନିକମା କରିବା ତାର କାମ ମାରା କରିବା ଅତ୍ୟନ୍ତ ଅନ୍ୟାୟ ଓ ଅବିଚାର । ତେଣେ ଚାଷୀଙ୍କୁ ଭୟ ଦେଖାଇ ଦିଆଯାଉଛି ଯେ ଇକେୱାଇସି ନହେଲେ ଚାଷୀ ସରକାରୀ ଖାତାରେ ଚାଷୀ ଭାବେ ଗଣାହୋଇ ପାରିବ ନାହିଁ ଏବଂ ତାର ଧାନକୁ ଧାନମଣ୍ଡିରେ ଗ୍ରହଣ କରାଯିବ ନାହିଁ । ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଏ କ୍ଷେତ୍ରରେ ସରକାରଙ୍କୁ ସତର୍କ କରାଇଦେବା ସହିତ ସରକାର ଏ ପ୍ରକାର ଚାଷୀ ମାରଣ ଜଟିଳ ପକ୍ରିୟାରୁ ନିବୃତ ହୁଅନ୍ତୁ । ମଧ୍ୟସ୍ତି ଓ ଦଲାଲି ପ୍ରକ୍ରିୟାକୁ ସଂପୂର୍ଣ୍ଣରୂପେ ବାତିଲ କରାଯାଇ ସରଳୀକରଣ ସରକାରୀ ଉପାୟରେ ଚାଷୀ ଚିହ୍ନଟ ପ୍ରକ୍ରିୟା ଆପଣାନ୍ତୁ । ଆମର ସରଳ ଅସିକ୍ଷିତ ଚାଷୀକୁ ବିଚରାକୁ ହନ୍ତସନ୍ତ କରି ଜଟିଳ ଡିଜିଟାଲ ଜାଲରେ ଛନ୍ଦାଇ ଦେବାରୁ କୁହେଳିକାରୁ ସଂପୂର୍ଣ୍ଣ ବିରତ ରୁହନ୍ତୁ । ସମ୍ପ୍ରତି ସାରା ରାଜ୍ୟରେ ଏହି ପ୍ରକ୍ରିୟା ବିରୋଧରେ ତ୍ରୀବ୍ର ଚାଷୀ ଅସନ୍ତୋଷ ଦେଖା ଦେଇଛି । ସରକାର ଏ କଥାକୁ ଗଭୀର ଭାବେ ଉପଲବ୍ଧି କରନ୍ତୁ । କର୍ପୋରେଟ ଓ ମିଲ ମାଲିକମାନଙ୍କ ଚକ୍ରାନ୍ତରେ ପରିଚାଳିତ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ସତର୍କ ହୁଅନ୍ତୁ । ନହେଲେ ଚାଷୀକୂଳ ରାଜରାସ୍ତାକୁ ବାହାରି ସରକାରୀ କଳକୁ ଅଚଳ କରିଦେବେ । ଅଧିକନ୍ତୁ ଆଜି ଚାଷୀ ଓ ଚାଷର ଏହି ସବୁ ସଂଗୀନ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ କିଷାନ ପ୍ରଦେଶ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ଠାରେ ଉପସ୍ଥାପିତ କରିଅଛି । ଚାଷ ଆରମ୍ଭ ସମୟରେ ଏକ ଗ୍ୟାରେଂଟିଯୁକ୍ତ ଭଲ ଫସଲ ଅମଳକୁ ଦୃଷ୍ଟିରେ ରଖି ସରକାର ଏବେଠୁ ଚାଷୀ ଓ ଚାଷକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ସହିତ ସବୁ ପ୍ରକାର ସହାୟତା ଦେଇ ଆବଶ୍ୟକ ପଡ଼ିଲେ ବିନା ସୁଧା ଓ ସର୍ତରେ ଋଣ ଯୋଗାଇଦେବା ସହିତ କୀଟନାଷକ ଔଷଧ, ସାର ଓ ବିହନ ଆଦି ରିହାତି ଦରରେ ଯୁଦ୍ଧକାଳୀନ ଭିତିରେ ଯୋଗାଇ ଦେବାକୁ ପ୍ରଦେଶ କିଷାନ କଂଗ୍ରେସ ସରକାରଙ୍କ ଠାରେ ଦୃଢ଼ ଦାବି କରିଅଛି ।

କୋପନ ସିଷ୍ଟିମ, କଟଣୀ, ଛଟଣୀ, ଇକେୱାସି ଓ ବଂଶାବଳୀ ଆଦି ଜଟିଳ ପ୍ରକ୍ରିୟା ବାତିଲକରି ଚାଷୀ ଅମଳ କରିଥିବା ସମସ୍ତ ବଳକା ଧାନକୁ ସିଧାସଳଖ ଚାଷୀଙ୍କ ଠାରୁ ଉପଯୁକ୍ତ ଦରରେ କିଣିବା, ମୁଣ୍ଡଝାଳ ତୁଣ୍ଡରେ ମାରି ଦୁନଆକୁ ଅର୍ଣ୍ଣ ଯୋଗାଉଥିବା ଚାଷୀଙ୍କୁ ୫୫ ବର୍ଷପରେ ମାସକୁ ୧୦ ହଜାର ଟଙ୍କା ଚାଷୀଭତା ପ୍ରଦାନ, ଚାଷୀ ପରିବାରର ସାମାଜିକ ନିରାପତ୍ତା ପାଇଁ କେବଳ ଫସଲ ବୀମା ନୁହେଁ ଚାଷୀ ପରିବାର ସମସ୍ତ ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା କରିବା ସାଙ୍ଗକୁ ଧାନ, ପାନ,ମୀନ, ଚିନାବାଦାମ, ତୈଳବୀଜ, ଆଳୁ, ଆଖୁ ଓ ପନିପରିବା ଆଦି ସମସ୍ତ ଉତ୍ପାଦିତ ଫସଲର ଅଭାବି ବିକ୍ରୀ ସମସ୍ୟାର ସମାଧାନ କରନ୍ତୁ ଏବଂ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତୁ । ସ୍ୱାମୀନାଥନ କମିଶନ ସୁପାରିଶି ଅନୁଯାୟୀ ଚାଷୀଙ୍କୁ ତାର ଉତ୍ପାଦିତ ଫସଲର ଦେଢ଼ଗୁଣା ମୂଲ୍ୟ ଦିଆଯାଉ ଏବଂ ବିଜୁଳିକର ଓ ଜଳକର ଛାଡ଼ କରାଯାଉ । ଏହି ସମସ୍ତ ସମସ୍ୟା ନେଇ ଆସନ୍ତା ଅକ୍ଟୋର ଶେଷ ସପ୍ତାହରୁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଚାଷୀ ଆନ୍ଦୋଳନ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁ, ଦଳର ମୁଖପାତ୍ର ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ, କିଷାନ କଂଗ୍ରେସ ରାଜ୍ୟ ସଂଯୋଜକ ଅରୁଣ ଜେନା, ମୁଖପାତ୍ର ହିମାଂଶୁ ଲେଙ୍କା, ଚାଷୀ ନେତା ଶିତିକଣ୍ଠ ମହାନ୍ତି ଓ ରତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking