ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବଢୁଥିବା ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦିଲ୍ଲୀ ସରକାର ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ”ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୨୦୩୦”ର ଚିଠା ପ୍ରସ୍ତାବ ଜାରି କରାଯାଇଛି । ଏହି ନୂତନ ନୀତି ଅନୁଯାୟୀ, ଆସନ୍ତା କିଛି ବର୍ଷ ମଧ୍ୟରେ ପେଟ୍ରୋଲ ଚାଳିତ ଦୁଇଚକିଆ ଓ ତିନିଚକିଆ ଯାନର ପଞ୍ଜୀକରଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏକ କଠୋର ସମୟସୀମା ଧାର୍ଯ୍ୟ କରାଯାଇଛି । ବିଶେଷକରି ଶୀତଦିନେ ଦିଲ୍ଲୀରେ ଦେଖାଦେଉଥିବା ଭୟଙ୍କର ସ୍ମୋଗ୍ ବା ବିଷାକ୍ତ କୁହୁଡ଼ିକୁ ନିୟନ୍ତ୍ରଣ କରିବା ଏହି ନୀତିର ମୂଳ ଲକ୍ଷ୍ୟ । ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ କେବଳ ବୈଦ୍ୟୁତିକ ତିନିଚକିଆ ଯାନର ନୂତନ ପଞ୍ଜୀକରଣ ହୋଇପାରିବ। ସେହିପରି ୨୦୨୮ ଏପ୍ରିଲ ୧ ତାରିଖ ପରଠାରୁ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ ଏବଂ କେବଳ ଇଲେକ୍ଟ୍ରିକ୍ ମଡେଲ୍କୁ ଅନୁମତି ମିଳିବ।ଇଲେକ୍ଟ୍ରିକ୍ ଦୁଇଚକିଆ, ତିନିଚକିଆ ଓ ମାଲବାହୀ ଯାନ ଉପରେ ବ୍ୟାଟେରୀ କ୍ଷମତା ଅନୁଯାୟୀ ସବସିଡି ପ୍ରଦାନ କରାଯିବ। ପୁରୁଣା ପ୍ରଦୂଷଣକାରୀ ଗାଡ଼ିକୁ ସ୍କ୍ରାପ୍ ବା ନଷ୍ଟ କରିବା ପାଇଁ ମଧ୍ୟ ବିଭିନ୍ନ ବର୍ଗରେ ୧୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏହା ବ୍ୟତୀତ ବୈଦ୍ୟୁତିକ ଯାନ କ୍ରୟ କଲେ ରୋଡ୍ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କରୁ ସମ୍ପୂର୍ଣ୍ଣ ଛାଡ଼ ମିଳିବ। ଭିତ୍ତିଭୂମିର ବିକାଶ ପାଇଁ ଦିଲ୍ଲୀ ଟ୍ରାନ୍ସକୋ ଲିମିଟେଡକୁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଛି, ଯିଏ ସହର ସାରା ଚାର୍ଜିଂ ଷ୍ଟେସନ ଏବଂ ବ୍ୟାଟେରୀ ସ୍ୱାପିଂ କେନ୍ଦ୍ର ସ୍ଥାପନର ତଦାରଖ କରିବେ।










