ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ପରଲୋକ ହୋଇଛି। ମନମୋହନ ସିଂହଙ୍କ ବିୟୋଗ ଘଟଣାକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେଏହା କେବେ ଓ କେଉଁଠି ହେବ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ଶ୍ରୀ ସିଂହଙ୍କ ପରଲୋକ ଯୋଗୁ କଂଗ୍ରେସ ମଧ୍ୟ ଆସନ୍ତା ୭ ଦିନ ପାଇଁ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ମନମୋହନ ସିଂହ ଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାରୁ ଚଳିତ ବର୍ଷ ଦଳର ପ୍ରତିଷ୍ଠା ଦିବସ ବି ପାଳନ କରାଯିବନି ବୋଲି ସୂଚନା ଜାରି କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ଦଳର ପତାକା ଅର୍ଦ୍ଧନତ ଅବସ୍ଥାରେ ରହିବ ।