31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଦିଲ୍ଲୀ ମେୟର ନିର୍ବାଚନ ଜିତିଲା ଆପ୍‌; ୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହେଲେ ବିଜେପି ପ୍ରାର୍ଥୀ

ଦିଲ୍ଲୀ ମେୟର ନିର୍ବାଚନ ଜିତିଲା ଆପ୍‌; ୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହେଲେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ମିଳିଛି ବଡ଼ ସଫଳତା। ଏମ୍‌ସିଡି (ଦିଲ୍ଲୀ ମହାନଗର ନିଗମ) ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି ଆପ୍ ପ୍ରାର୍ଥୀ ମହେଶ। ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ଓ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ନିର୍ବାଚନରେ ମୋଟ ୨୬୫ ଭୋଟ ପଡ଼ିଥିବାବେଳେ ଏଥିରୁ ଆପ୍ ପ୍ରାର୍ଥୀ ମହେଶଙ୍କୁ ମୋଟ ୧୩୫ ଭୋଟ୍ ମିଳିଛି। କିନ୍ତୁ ଏଥିରୁ ଦୁଇଟି ଭୋଟ୍ ଅବୈଧ ଘୋଷିତ ହୋଇଥିଲା। ଅର୍ଥାତ୍ ଆପ୍ ପ୍ରାର୍ଥୀଙ୍କ ସପକ୍ଷରେ ୧୩୩ ବୈଧ ଭୋଟ ପଡ଼ିଥିଲା। ଅନ୍ୟପଟେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ୧୩୦ ବୈଧ ଭୋଟ୍ ମିଳିଥିଲା। ଫଳରେ ୩ ଖଣ୍ଡ ଭୋଟ୍ ବ୍ୟବଧାନରେ ଆପ୍ ପ୍ରାର୍ଥୀ ଏହି ନିର୍ବାଚନରେ ବାଜିମାତ କରିଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ନିର୍ବାଚନକୁ ବୟକଟ୍ କରିଛି।
ଏହି ବିଜୟ ସତ୍ତ୍ୱେ ଦିଲ୍ଲୀ ଆପ୍ ପାଇଁ ଚିନ୍ତାର ବିଷୟ ହେଉଛି ଦଳର ୧୦ଜଣ କାଉନସିଲର ବିଜେପିକୁ ଭୋଟ୍ ଦେଇଛନ୍ତି। ଦଳୀୟ କାଉନସିଲର ଏପ୍ରକାର ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ସାଜିଛି। ବିରୋଧୀ ବିଜେପି ପାଖରେ ମୋଟ ୧୨୦ ଖଣ୍ଡ ଭୋଟ ଥିଲା। ହେଲେ ବିଜେପିକୁ ମିଳିଛି ୧୩୦ ଖଣ୍ଡ ଭୋଟ୍‌। ଅର୍ଥାତ ଆମ୍ ଆଦମି ପାର୍ଟିର ୧୦ ଜଣ କାଉନସିଲର ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ତେବେ ଆପ୍ ପ୍ରାର୍ଥୀ ମହେଶ କୁମାରଙ୍କ ବିଜୟ ପରେ ଆପ୍ ପକ୍ଷରୁ ଉତ୍ସବ ପାଳନ କରାଯାଇଛି। ସେହିପରି କେଉଁ ୧୦ କାଉନସିଲର ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ସେସମ୍ପର୍କରେ ମଧ୍ୟ ଆପ୍ ଏବେ ଖୋଳତାଡ କରିବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking