28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ୧୫ ଦିନରେ ୪୫ ରାଲି କରିବ ଆପ୍‌

୧୫ ଦିନରେ ୪୫ ରାଲି କରିବ ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେଜ୍ରିୱାଲ୍‌ଙ୍କ ନ୍ୟାୟିକ ହେପାଜତ୍‌କୁ ପୁଣି ଥରେ ବୃଦ୍ଧି କରାଯାଇଛି । ସିବିଆଇ ପକ୍ଷରୁ ଆଜି ତାଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ଭର୍ଚ୍ଚୁଆଲ ମୋଡ୍ ଯୋଗେ ହାଜର କରାଯାଇଥିବା ବେଳେ କୋର୍ଟ ଆସନ୍ତା ମାସ ଅଗଷ୍ଟ ୮ ତାରିଖ ଯାଏ ତାଙ୍କ ନ୍ୟାୟିକ ହେପାଜତ୍‌କୁ ବୃଦ୍ଧି କରିଛନ୍ତି । ଏଥିସହ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ରେ ହେବ ବୋଲି ମଧ୍ୟ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ କେଜ୍ରିୱାଲ୍‌ଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ବିଆରଏସ୍ ନେତ୍ରୀ କେ କବିତା ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଆଜି କୋର୍ଟରେ ହାଜର ହୋଇଥିଲେ । ରାଉସ ଆଭେନ୍ୟୁ କୋର୍ଟ ଉଭୟ ସିସୋଦିଆ ଏବଂ କେ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ଜୁଲାଇ ୧୨ରେ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ଇଣ୍ଡିଆ ବ୍ଲକ୍ ଜୁଲାଇ ୩୦ରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ବିଶାଳ ସମାବେଶ ରୂପକ ଆନ୍ଦୋଳନ କରିବ ବୋଲି ଆଜି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ଘୋଷଣା କରାଯାଇଛି । ଇଣ୍ଡିଆ ବ୍ଲକ୍ ପକ୍ଷରୁ ଏନେଇ ଦିଆଯାଇଥିବା ବିବୃତ୍ତି ଅନୁସାରେ ଜେଲ୍‌ରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଆପ୍ ମଧ୍ୟ ବରାବର ଭାବେ ଅଭିଯୋଗ କରି ଚାଲିଛି ଯେ ବିଜେପି ଷଡଯନ୍ତ୍ର କରିବା ପୂର୍ବକ କେଜ୍ରିୱାଲ୍‌ଙ୍କୁ ଜେଲ୍ ଭିତରେ ହିଁ ହତ୍ୟା କରିବାକୁ ଚାହୁଁଛି । ଜୁନ ୩ରୁ ଜୁଲାଇ ୭ ତାରିଖ ମଧ୍ୟ କେଜ୍ରିୱାଲଙ୍କ ରକ୍ତ ଶର୍କରା ୨୬ଥର ହ୍ରାସ ପାଇଛି । ପ୍ରକାଶ ଇଡି ମାମଲାରେ କେଜ୍ରିୱାଲ୍‌ଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ସିବିଆଇ ମାମଲାରେ ସେ ଏବେ ବି ତିହାର ଜେଲ୍‌ରେ ଅଛନ୍ତି । ସିବିଆଇ ଗିରଫଦାରି ବିରୋଧରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । କୋର୍ଟ ଆସନ୍ତା ସୋମବାର ଏହାର ଶୁଣାଣି କରିବେ ।

ଅନ୍ୟପକ୍ଷେ ହରିଆଣା ପ୍ରଦେଶ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆସନ୍ତା କାଲି ଠାରୁ ମାରାଥନ୍ ରାଲିର ଶୁଭାରମ୍ଭ କରାଯିବ । ୧୫ ଦିନରେ ୪୫ଟି ରାଲି ଆୟୋଜନ କରାଯିବ । ପ୍ରତି ୨ ବିଧାନସଭାରେ ଏକ ନିର୍ବାଚନୀ ରାଲି ମଧ୍ୟ କରାଯିବ । ଦଳର ବଡ ବଡ଼ ନେତା ଓ ହରିଆଣା ପ୍ରଦେଶର ଦଳୀୟ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ହରିଆଣା ପାଇଁ ଆପ୍ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ତଥା ୫ଟି ଗ୍ୟାରେଣ୍ଟି ଯେଉଁଥିରେ ୨୪ ଘଣ୍ଟା ଏବଂ ମାଗଣା ବିଦ୍ୟୁତ୍‌, ଉତ୍କୃଷ୍ଟ ଡାକ୍ତରଖାନା ଏବଂ ଚିକିତ୍ସା ବ୍ୟବସ୍ଥା, ଉତ୍ତମ ଶିକ୍ଷା ପ୍ରଦାନ, ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ସମ୍ମାନ ଏବଂ ହରିଆଣାର ଯୁବକମାନଙ୍କ ପାଇଁ ୧୦୦% ନିଯୁକ୍ତି ସୁନିଶ୍ଚିତ, ଏଦିଗରେ ଦଳ ଏବେ ଠାରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ । ହରିଆଣାବାସୀ କେଜ୍ରିୱାଲଙ୍କୁ ଏକ ସୁଯୋଗ ଦେବା ଉଚିତ, ଏହି ବାର୍ତ୍ତା ସହିତ ଆମ୍ ଆଦମୀ ପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ଏବଂ ହରିୟାଣାର ସମସ୍ତ ନେତା ଏହି ସମାବେଶକୁ ଯାଇ ଲୋକଙ୍କ ସହ କଥାବାର୍ତ୍ତା କରିବେ ଏବଂ ଏହି ତୃତୀୟ ବିକଳ୍ପକୁ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking