କରାଚୀ: ପାକିସ୍ତାନ ନିଜ କଲାକର୍ମର ଫଳ ଭୋଗୁଛି ଏବଂ ନିଜ ଆଚରଣରେ ସୁଧାର ନଆଣିଲେ ଆଗକୁ ମଧ୍ୟ ତା’କୁ ପରିଣାମ ଭୋଗ କରିବାକୁ ପଡ଼ିବ । ରବିବାର ପାକିସ୍ତାନ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୩୨ଜଣ ପାକ୍ ସୈନିକ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ସୈନିକ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କରାଚୀ-କ୍ୱେଟା ରାଜପଥରେ ଘଟିଥିବା ଏହି ବୋମା ବିସ୍ଫୋରଣକୁ ନେଇ ସମଗ୍ର ପାକିସ୍ତାନ ଦୋହଲିଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୩ଟି ଗାଡ଼ି (ବସ୍) ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି ।
ରିପୋର୍ଟ ଅନୁସାରେ ଖୁଜଦାରର ଜିରୋ ପଏଣ୍ଟ ନିକଟରେ କରାଚୀ-କ୍ୱେଟା ରାଜପଥରେ ଏକ ସେନା ଦଳ ଉପରେ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ ଦ୍ୱାରା ଆକ୍ରମଣ ହୋଇଥିବା ଏବଂ ଏଥିରେ ୩୨ ପାକ୍ସେନା ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ପୂର୍ବରୁ ଆତଙ୍କବାଦୀ ଘଟଣାଗୁଡ଼ିକ ସାଧାରଣତଃ ପାକିସ୍ତାନର ଦୁର୍ଗମ ଅଞ୍ଚଳଗୁଡ଼ିକରେ ସୀମିତ ଥିଲା, କିନ୍ତୁ ଏବେ ଦେଶର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ଏପରି ଆକ୍ରମଣ ହେବା ଆରମ୍ଭ ହେଉଛି । ଏହି କାରଣରୁ ସେଠାକାର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠୁଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏକକାଳୀନ ତିନୋଟି ଗାଡ଼ି ବିସ୍ଫୋରଣ ହୋଇଛି । କରାଚୀ-କ୍ୱେଟା ରାଜପଥରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରକ ରଖାଯାଇଥିଲା । ସେନା ଦଳ ସେହି ରାସ୍ତା ଦେଇ ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାରେ ମୋଟ୍ ଆଠଟି ସାମରିକ ଗାଡ଼ି ଥିଲା, ଯେଉଁଥିରୁ ତିନୋଟି ବିସ୍ଫୋରଣର ଶିକାର ହୋଇଥିଲା । ବିସ୍ଫୋରଣରେ ନଷ୍ଟ ହୋଇଯାଇଥିବା ଏକ ବସ୍ ମଧ୍ୟ ସାମିଲ ରହିଛି ଯେଉଁଥିରେ କିଛି ସାମରିକ କର୍ମଚାରୀଙ୍କ ପରିବାର ଯାଉଥିଲେ । ତେବେ ପାକ୍ସେନାର ଉପରିସ୍ଥ ଅଧିକାରୀମାନେ ଏହି ସୁରକ୍ଷା ତ୍ରୁଟିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ପାକ୍ ସେନା କର୍ତ୍ତୃପକ୍ଷ ଏହି ଘଟଣାକୁ ଏକ ସ୍କୁଲ ବସ୍ ଉପରେ ଆକ୍ରମଣ ବୋଲି କହି ଘଟଣାକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି ।
ଅନ୍ୟପକ୍ଷେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହା ପଛରେ ବଲୁଚ ବିଦ୍ରୋହୀ ଗୋଷ୍ଠୀ (ବିଏଲ୍ଏ)ର ହାତ ଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ସେନା ଏବଂ ସୁରକ୍ଷା ବାହିନୀ ଉପରେ ବିଏଲ୍ଏ ଗୋଷ୍ଠୀ ପକ୍ଷରୁ ଏକାଧିକ ଥର ଆକ୍ରମଣ ହୋଇସାରିଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ଆକ୍ରମଣ ପାକିସ୍ତାନୀ ସେନାର ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଏବଂ ବଲୁଚ୍ ବିଦ୍ରୋହୀଙ୍କ ବଢୁଥିବା ଶକ୍ତିର ଏକ ସଙ୍କେତ । ଆକ୍ରମଣ ପରେ, ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି ଏବଂ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଘଟଣା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟାକୁ ସାମ୍ନାକୁ ଆଣିଛି, ବିଶେଷକରି ବଲୁଚିସ୍ତାନ ଭଳି ସମ୍ବେଦନଶୀଳ ଅଞ୍ଚଳରେ, ଯାହା ଦୀର୍ଘ ଦିନ ଧରି ଅସ୍ଥିରତାରେ ଜର୍ଜରିତ ହେଉଛି । ପ୍ରକାଶ, ଗତ ୨୧ ତାରିଖରେ କରାଚୀ-କ୍ୱେଟା ରାଜପଥରେ ଆଉ ଏକ ଆକ୍ରମଣ ହୋଇଥିଲା । ବଲୁଚିସ୍ତାନର ଖୁଜଦାର ଅଞ୍ଚଳ ନିକଟରେ କ୍ୱେଟା-କରାଚୀ ରାଜପଥରେ ଆତଙ୍କବାଦୀମାନେ ଏକ ଆର୍ମି ପବ୍ଲିକ୍ ସ୍କୁଲ ବସ୍ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଡ୍ରାଇଭର ସମେତ ପାଞ୍ଚ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା ।