25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଭୟଙ୍କର ପ୍ଲେନ୍ କ୍ରାଶ୍‌: ଲିଭିଗଲା ୨୪୨ଜଣଙ୍କ ଜୀବନଦୀପ

ଭୟଙ୍କର ପ୍ଲେନ୍ କ୍ରାଶ୍‌: ଲିଭିଗଲା ୨୪୨ଜଣଙ୍କ ଜୀବନଦୀପ

– ଚାରିଆଡ଼େ ଶୋକର ଛାୟା, ବିଶ୍ୱନେତାଙ୍କ ଦୁଃଖ ପ୍ରକାଶ
– ଝିଅକୁ ଦେଖିପାରିଲେନି ବିଜୟ ରୂପାଣୀ
– ମୃତକଙ୍କ ମଧ୍ୟରେ ୧୧ ପିଲା ଓ ୨ ନବଜାତକ
– ଉଜୁଡ଼ିଗଲା ଅନେକଙ୍କ ସ୍ୱପ୍ନ, ନିଶ୍ଚିହ୍ନ ହୋଇଗଲା କିଛି ପରିବାର

ଅହମଦାବାଦ୍‌: ଭାରତ ପାଇଁ ଗୁରୁବାର ଆଉ ଏକ କଳାଦିନ ସାବ୍ୟସ୍ତ ହୋଇଛି। ଭାରତ ଓ ଭାରତୀୟଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିବା ଭଳି ଘଟଣା ଘଟିଛି, ଯାହା ଭାରତ ତଥା ବିଶ୍ୱକୁ ଦୋହଲାଇ ଦେଇଛି। ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ଏକ ସଙ୍ଗେ ୨୪୨ଜଣଙ୍କ ଜୀବନଦୀପ ଲିଭିଯାଇଛି। ଏହି ମର୍ମନ୍ତୁଦ ହୃଦୟ ବିଦାରକ ଘଟଣାକୁ ନେଇ ବିଶ୍ୱସ୍ତରୀୟ ନେତୃବୃନ୍ଦ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।

ରିପୋର୍ଟ ଅନୁସାରେ ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର୍ ଇଣ୍ଡିଆ ବିମାନ ଏଆଇ ୧୭୧ (ବୋଇଂ ୭୮୭ ଡ୍ରିମ୍‌ଲାଇନର) ଗୁୂରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ ବିମାନର କର୍ମଚାରୀମାନେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି, ଯାହାକି ଛାତି ଥରାଇଦେବା ଭଳି ହୋଇଛି। ଦୁର୍ଘଟଣାସ୍ଥଳରେ ୩ରୁ ଅଧିକ ଏନ୍‌ଡିଆର୍‌ଏଫ୍ ଦଳ ସମେତ ଅନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ୍ (ଡିଜିସିଏ) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ୨୩୦ ଯାତ୍ରୀ (୧୦୩ ପୁରୁଷ, ୧୧୪ ମହିଳା, ୧୧ ପିଲା ଏବଂ ୨ ନବଜାତକ), ୧୦ କ୍ର‌୍ୟୁ ସଦସ୍ୟ ଏବଂ ୨ ପାଇଲଟ୍‌ଙ୍କ ସମେତ ମୋଟ୍ ୨୪୨ ଜଣ ଯାତ୍ରା କରୁଥିଲେ। ୨୩୦ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ଜଣ ଭାରତୀୟ ଏବଂ ୫୩ ବିଟେନ୍‌, ୭ ପର୍ତ୍ତୃଗାଲ୍ ଏବଂ ଜଣେ କାନାଡ଼ା ନାଗରିକ ଥିଲେ। ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିଲେ। ସେ ଲଣ୍ଡନ୍‌ରେ ରହୁଥିବା ନିଜ ଝିଅଙ୍କୁ ଦେଖା କରିବା ପାଇଁ ଏହି ବିମାନରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି। ତେବେ କେବଳ ୩୮ ବର୍ଷୀୟ ରମେଶ୍ ବିଶ୍ୱାସ କୁମାର ନାମ୍ ଜଣେ ମୂଳ ଭାରତୀୟ ବ୍ରିଟିଶ ନାଗରିକଙ୍କୁ ଛାଡ଼ିଦେଲେ ବିମାନରେ ଥିବା ଅନ୍ୟ ସମସ୍ତେ ପ୍ରାଣ ହରାଇଛନ୍ତି। ବିମାନରେ ସିଟ୍ ନଂ ୧୧-ଏରେ ସେ ଯାତ୍ରା କରୁଥିଲେ। ଉଦ୍ଧାରକାରୀ ଦଳ ଯେତେବେଳେ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ସେତେବେଳେ ରମେଶଙ୍କ ନିଶ୍ୱାସ ଚାଲୁଥିବା ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଭର୍ତ୍ତିକରି ହସ୍ପିଟାଲ୍ ନିଆଯାଇଥିଲା। ନିଜ ପ୍ରତିକ୍ରିୟାରେ ରମେଶ କହିଛନ୍ତି ଯେ ଏପ୍ରକାର ଘଟଣାରେ ତାଙ୍କର ବଞ୍ôଚବା କୌଣସି କରିସ୍ମା ଠାରୁ କମ୍ ନୁହେଁ। ତେବେ ତାଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟ ଭାଇ ମଧ୍ୟ ଏହି ବିମାନରେ ଯାତ୍ରା କରୁଥିଲେ, ତାଙ୍କୁ ଖୋଜିବାରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ଣ ୧.୧୦ରେ ବୋର୍ଡିଂ ପ୍ରକ୍ରିୟା ଶେଷ କରିବା ପରେ ପ୍ରାୟ ୧.୧୭ମିନିଟ୍ ବେଳକୁ ଉଡ଼ାଣ ଭରିଥିଲା ଏୟାର୍ ଇଣ୍ଡିଆର ବିମାନ ଏଆଇ-୧୭୧। ଉଡ଼ାଣ ସମୟରେ ବିମାନଟି ବେଶ୍ ସ୍ୱାଭାବିକ ଥିବାବେଳେ ତେବେ ଠିକ୍ ୧.୪୦ମିନିଟ୍ ବେଳକୁ ଅହମଦାବାଦ୍‌ର ମେଘାନୀନଗର ଅଞ୍ଚଳ ଦେଇ ଯାଉଥିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ଏସବୁ କିଛି ବିମାନ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ହିଁ ଘଟିଯାଇଥିଲା। ପାଇଲଟ୍ ବିମାନର ଖରାପ ସ୍ଥିତାବସ୍ଥା ସମ୍ପର୍କରେ ଯୋଗାଯୋଗ (ମେଡେ କଲ୍‌) କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି କ୍ଷଣ ମଧ୍ୟରେ ଲାଇନ୍ କଟିଯାଇଥିଲା। ପରେ ନିଆଁ ଲାଗିଥିବା ଅବସ୍ଥାରେ ହିଁ ବିମାନଟି ସିଧାସଳଖ ଯାଇ ଏଠାରେ ଥିବା ୪ଟି ରେସିଡେନ୍‌ସିଆଲ୍ ଡକ୍ଟରସ୍ ବିଲ୍ଡିଂର ଛାତ ଉପରେ ଖସିପଡିଥିଲା। ଏସବୁ ବିଲ୍ଡି ଅହମଦାବାଦ୍‌ର ସିଭିଲ୍ ହସ୍ପିଟାଲ ବା ବିଜେ ମେଡିକାଲ କଲେଜ ଏବଂ ହସ୍ପିଟାଲର ହଷ୍ଟେଲ ଥିଲା।, ଯେଉଁଠାରେ ଉଭୟ ୟୁଜି ଏବଂ ପିଜି ବର୍ଗର ଟ୍ରେନି ଡାକ୍ତରମାନେ ରହୁଥିଲେ। ତେବେ ଯେଉଁ ସମୟରେ ବିମାନଟି ଏହି ବିଲ୍ଡିଂରେ ଧକ୍କା ହୋଇଥିଲା, ସେହିସମୟରେ ଉକ୍ତ ବିଲ୍ଡିଂରେ ପ୍ରାୟ ୫୦ରୁ ୬୦ ଡାକ୍ତର ଥିଲେ ଏବଂ ମଧ୍ୟାହ୍ନଭୋଜନ କରୁଥିଲେ। ବିମାନଟି ମାଡ଼ ହେବା ଘଟଣାରେ ୫ ଡାକ୍ତରୀ ଛାତ୍ର (୪ଜଣ ୟୁଜି ଏବଂ ଜଣେ ପିଜି)ଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଡାକ୍ତର ଗୁରୁତର ଭାବେ ଆହତ ହୋଇଥିବା ଅହମଦାବାଦ୍ ପୁଲିସ୍ କମିଶନର ଜିଏସ୍ ମଲ୍ଲିକ୍ କହିଛନ୍ତି। ଗୁଜରାଟ ସରକାର ତଥା ଡିଜିସିଏ ପକ୍ଷରୁ ଏହି ଘଟଣାରେ ଦୁଃଖ ପ୍ରକାଶ କରାଯାଇଛି। ଉଭୟ ପକ୍ଷରୁ ଦର୍ଶାଯାଇଛି ଯେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଜାଣିବା ପାଇଁ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ହେଲ୍ପଲାଇନ୍ ନଂ (୦୧୧-୨୪୬୨୦୮୪୩ ଏବଂ ) ଜାରି କରାଯାଇଛି। ଯାତ୍ରୀଙ୍କ ସହାୟତା ପାଇଁ ଅହମଦାବାଦ ବିମାନ ବନ୍ଦରରେ +୯୧ ୯୯୭୪୨୧୧୩୨୭ ସ୍ଥାପନ କରାଯାଇଥିବା ବେଳେ ଏୟାରଇଣ୍ଡିଆ ଦ୍ୱାରା ୧୮୦୦୫୬୯୧୪୪୪ ହଟଲାଇନ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି। ସେହିପରି ମୃତକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଡିଏନ୍‌ଏ ସାମ୍ପଲ୍ ନେଇ ଆସି ପହଞ୍ôଚବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଛନ୍ତି ଯେ, ମୃତକଙ୍କୁ ଚିହ୍ନଟ ପାଇଁ ପ୍ରାୟ ୧୦୦୦ ଡିଏନ୍‌ଏ ସାମ୍ପଲ୍ ଟେଷ୍ଟ କରିବାକୁ ହେବ। ସେହିପରି ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯିବ ବୋଲି ମଧ୍ୟ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ବିଦେଶର ଅନେକ ବଡ଼ ବଡ଼ ନେତାମାନେ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ବିଟେନ୍ ରାଜା ଚାର୍ଲସ-୨ୟ, ମାଲଦିଭାସ୍ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି, ୟୁରୋପିଆନ୍ ସଂଘର ସଭାପତି ଉର୍ସୁଲା ଭନ୍ ଡେର ଲେୟେନ୍‌, ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର,ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌, ଫ୍ରେଞ୍ଚ୍ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‌ଙ୍କ ଭଳି ବିଶ୍ୱର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଶୋକ ବ୍ୟକ୍ତ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଧ୍ୟ ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି।

ଅହମଦାବାଦ୍‌ରେ ଘଟିଥିବା ବିମାନ ଦୁର୍ଘଟଣା ମୋତେ ଭିତରୁ ସ୍ତବ୍ଧ କରିଦେଇଛି। ଏପ୍ରକାର ଦୁର୍ଘଟଣା ସର୍ମ୍ପକରେ କିଛି ବି କହିବାକୁ ମୋ’ ପାଖରେ ଶବ୍ଦ ନାହିଁ। ଏହା ଏକ ହୃଦୟବିଦାରକ ଘଟଣା। ଘଟଣାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାର ପ୍ରତି ମୋ’ର ସମବେଦନା ଏବଂ ପ୍ରାର୍ଥନା ବ୍ୟକ୍ତ କରୁଛି। ଏପ୍ରକାର ଦୁଃଖଦ ସମୟରେ ଭଗବାନ୍ ସମସ୍ତଙ୍କୁ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ। ସମଗ୍ର ଦେଶ ପୀଡ଼ିତଙ୍କ ପରିବାର ସହ ଛିଡା ରହିଛି।
– ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି

– ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଛି। ଏହା ଅତନ୍ତ୍ୟ ହୃଦୟବିଦାରକ। ମୁଁ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ମୁଁ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହି ରିଲିଫ କାର୍ଯ୍ୟ ଉପରେ ନଜର ରଖିଛି।
– ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଗୁଜରାଟର ଅହମଦାବାଦରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅହମଦାବାଦଠାରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର୍ ଇଣ୍ଡିଆର ବିମାନ ଟେକ୍‌ଅଫ୍ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବ୍ୟାପକ ଧନଜୀବନ କ୍ଷତିହୋଇଛି। ଏହି ଦୁର୍ଘଟଣା ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ସମସ୍ତ ଯାତ୍ରୀ, କ୍ରୁ’ ସଦସ୍ୟ ଓ ସେମାନଙ୍କର ପରିବାର ପାଇଁ ପ୍ରାର୍ଥନା କରୁଛି। ଭଗବାନ ଜଗନ୍ନାଥ ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥକରନ୍ତୁ। ଏଭଳି ଏକ ଖରାପ ସମୟରେ ଗୁଜରାଟର ଲୋକଙ୍କ ସହିତ ଓଡ଼ିଶା ଛିଡ଼ା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରଭାବିତ ପରିବାର ପାଇଁ ପ୍ରାର୍ଥନା କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।
-ଦୁଃଖ ପ୍ରକାଶ କଲେ ମୋହନ, ନବୀନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking