ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ, ଗତ ସପ୍ତାହ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୪ଥର ରେକର୍ଡ ହୋଇଛି। ୨୩ ତାରିଖରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୧.୬ ଡିଗ୍ରୀ ରହିଥିବାବେଳେ ୨୪ ତାରିଖରେ ୩୧.୬ ଡିଗ୍ରୀ, ୨୬ ତାରିଖରେ ୩୧.୮ ଡିଗ୍ରୀ ଓ ୨୭ ତାରିଖରେ ୩୨.୪ ଡିଗ୍ରୀ ରହିଥିଲା। ତେବେ ଶୁକ୍ରବାର ପୁରୀ, ଖୋର୍ଦ୍ଧା, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଟକ, ନୟାଗଡ଼ ଓ ଗଞ୍ଜାମ ଜିଲା, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ଼, ଗଞ୍ଜାମ ଏବଂ ପୁରୀ ଜିଲାକୁ କୁହୁଡି ନେଇ ସତର୍କ କରାଯାଇଛି।










