27.1 C
Bhubaneswar
Friday, October 18, 2024
Homeଓଡିଶାସତ କହୁଥିଲେ ସାଂଘାତିକ

ସତ କହୁଥିଲେ ସାଂଘାତିକ

ଭୁବନେଶ୍ୱର: ନୂଆ ବିଜେପି ସରକାରର ପଦାକୁ ଆସିଥିବା ଏକ ଘଟଣା ସତ ହୋଇଥିଲେ ସାଂଘାତିକ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କ୍ରୀଡ଼ା ମନ୍ତ୍ରୀ ଯେଉଁ ମତ ରଖିଛନ୍ତି ତାହା ଯଦି ବାସ୍ତବ ହୋଇଥିବ ତେବେ ଏହା ସରକାରଙ୍କ ପାଇଁ ଅତ୍ୟନ୍ତ ଉଦ୍‌ବେଗ ଜନକ ବିଷୟ । ଅଫିସର୍‌ମାନେ ଏ ସରକାରରେ ବି କାହାକୁ ନ ପଚାରି ନିଷ୍ପତ୍ତି ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ଏହା ଯଦି ସତ ହୋଇଥାଏ ତେବେ ସଂପୃକ୍ତ ଅଫିସର୍‌ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି । ନଚେତ୍ ପରବର୍ତ୍ତି ସମୟରେ ସରକାରଙ୍କୁ ହିଁ ପସ୍ତାଇବାକୁ ପଡ଼ିବ । ନୀତିଗତ ନିଷ୍ପତ୍ତି ସରକାରଙ୍କ ଅଗଚୋରରେ କିପରି ଭାବରେ ଅଫିସର୍‌ମାନେ ନେଇପାରିଲେ ତାହା ହେଉଛି ବଡ଼ ପ୍ରଶ୍ନ ବୋଲି କୁହାଯାଉଛି ।

ବିଜେଡି ସରକାରଙ୍କ ସମୟରେ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ନା’ରେ ପୁରସ୍କାର ଦିଆଯାଇ ଆସୁଥିଲା। ସରକାର ବଦଳିଲା ପରେ ବିଜେପି କ୍ଷମତାକୁ ଆସିଲା । ଶନିବାର ହଠାତ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ବିଜୁ ପଟ୍ଟନାୟକଙ୍କ ନା’ରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାର ବଦଳରେ ରାଜ୍ୟ କ୍ରୀଡ଼ା ପୁରସ୍କାର ଦିଆଯିବ । ବିଜୁ ପଟ୍ଟନାୟକଙ୍କ ନା’କୁ ବଦଳାଯିବା ନେଇ ଖବର ଆସିଲା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ବିଭିନ୍ନ ସମାଲୋଚନା ମଧ୍ୟ ହୋଇଥିଲା । ଏହା ସରକାରଙ୍କର ନିଷ୍ପତ୍ତି ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ରବିବାର ହଠାତ ନିଷ୍ପତ୍ତି ବଦଳିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ କହିଲେ ସେ ଏ ବିଷୟରେ ମିଡିଆରୁ ଜାଣିଲେ । ନା’ ବଦଳାଯିବା ନେଇ ସେ ଜାଣି ନଥିଲେ । ସରକାର ଏଭଳି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ନିଜେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ବିଷୟରେ ଜାଣି ନଥିବା କହିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଲେ ଗଣମାଧ୍ୟମରୁ ଆଜି ସକାଳେ ସେ ନାମ ପରି ବର୍ତ୍ତନ ନେଇ ଜାଣିବାକୁ ପାଇଲେ । ଏହା ଏକ ଛୋଟିଆ ଘଟଣା ନୁହେଁ । ଏହାକୁ ହାଲୁକା ଭାବେ ବି ନିଆଯିବା ଉଚିତ୍ ନୁହେଁ । ରାଜ୍ୟରେ ବିଜେପି ଏକ ଦାୟିତ୍ୱବାନ୍ ସରକାର ଭାବରେ କାର୍ଯ୍ୟ କରିବା ଦରକାର । ସରକାର ଏକ ପିଲା ଖେଳ ଘର ନୁହେଁ ।

ବିଭାଗୀୟ ମନ୍ତ୍ରୀ ଯଦି ସତ କହୁଥାଆନ୍ତି ତେବେ ତାଙ୍କ ଅଗୋଚରରେ ଏବଂ ତାଙ୍କ ବିନା ପରାମର୍ଶରେ ଏତେବଡ଼ ନିଷ୍ପତ୍ତି ବିଭାଗୀୟ ଅଧିକାରୀମାନେ ନେଲେ କିପରି? ଏହା କ’ଣ କେବେ ସମ୍ଭବ ବୋଲି ବିଶ୍ୱାସ କରିହେବ । ରାଜନୈତିକ ଦୃଷ୍ଟି କୋଣରୁ ଓ ବିଧାନସଭା ଆସୁଥିବାରୁ ନିଜକୁ ବଞ୍ଚାଇବା ପାଇଁ ବିଜେପି ସରକାର ମତ ପରିବର୍ତ୍ତନ କରି ଅଫିସର୍‌ଙ୍କ ମୁଣ୍ଡରେ ଦୋଷ ଲଦି ହୁଏତ ଅଡ଼ୁଆ ପରିସ୍ଥିତିରୁ ମୁକୁଳିବା ପାଇଁ ଉଦ୍ୟମ କରିଥାଇ ପାରନ୍ତି । ଏହା ହୋଇଥିଲେ ଭିନ୍ନ କଥା । ସରକାର ନିଷ୍ପତ୍ତି ନିଅନ୍ତି । ଅଡ଼ୁଆରେ ପଡ଼ିଲେ ଆ ତା’ ମୁଣ୍ଡରେ ଅଠା ବୋଳି ଖସନ୍ତି । ରାଜନୀତିରେ ଏପରି ଅନେକ ଘଟଣା ଦେଖାଦେଇ ଆସିଛି । ବିଜେପି ସରକାରରେ ଅଧିକାଂଶ ହେଉଛନ୍ତି ନୂଆ ମନ୍ତ୍ରୀ । ସେମାନଙ୍କର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ବିଶେଷ ଭାବରେ ନାହିଁ । ଲୋକଙ୍କ ନିକଟରେ ବାହା ବାହା ନେବାକୁ ଉତ୍ସାହିତ ହୋଇ ହୁଏତ କିଛି ପଦକ୍ଷେପ ନେଇ ଥାଇ ପାରନ୍ତି । ଯେପରି ମୋ ବସ୍ ନା’ ବଦଳାଇ ଆମ ବସ୍ କଲେ ଓ ରଙ୍ଗ ବି ବଦଳାଇଲେ । ସେହିପରି ହୁଏତ ଏ କ୍ଷେତ୍ରରେ ହୋଇ ଥାଇ ପାରେ ।

ସରକାର ଯେତେବେଳେ ଚଳାଉଛନ୍ତି ସେତେବେଳେ ମନ୍ତ୍ରୀମାନେ ବହୁ ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର । କୌଣସି ନୀତିଗତ ନିଷ୍ପତ୍ତି ନେବାକୁ ହେଲେ ସେ ବିଷୟରେ ଆଲୋଚନା କରି ନେବା ଉଚିତ । ଯଦି କିଛି ନିଷ୍ପତ୍ତି ନିଆଯାଏ ତାହା ପଛରେ ଛିଡ଼ା ହେବା ଉଚିତ୍ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସବୁ ମନ୍ତ୍ରୀମାନଙ୍କ ନିକଟକୁ କଡ଼ା ନିର୍ଦ୍ଦେଶାନାମା ଯିବାର ଆବଶ୍ୟକତା ରହିଛି । ଏଭଳି କୌଣସି ନିଷ୍ପତ୍ତି ନିଆଗଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ବଦ୍‌ନାମ ହେବେ । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଅଙ୍ଗୁଳି ଦେଖାଇବେ । ଏହି ଘଟଣାରେ ଅଫିସର୍‌ଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଜଣାପଡ଼ିବ ଅଡ଼ୁଆ ପରିସ୍ଥିତିରୁ ମୁକୁଳିବା ପାଇଁ ଅଫିସର୍‌ଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଉଦ୍ୟମ କରାଯାଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking