ନୂଆଦିଲ୍ଲୀ: ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ)ରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୮୦୦ ବିମାନଗୁଡ଼ିକର ଉଭୟ ଉଡ଼ାଣ ଏବଂ ଅବତରଣ ବିଳମ୍ବିତ ହୋଇଛି। ଫଳରେ କିଛି ଏୟାରଲାଇନ୍ସଗୁଡ଼ିକ ସେମାନଙ୍କ ଧାର୍ଯ୍ୟ ଫ୍ଲାଇଟ୍ଗୁଡ଼ିକୁ ବାତିଲ ମଧ୍ୟ କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଏବଂ ବିମାନ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ସ୍ପଷ୍ଟ କରିଛି। ଅଧିକ ବିଳମ୍ବ ହୋଇଥିବା ବିମାନଗୁଡ଼ିକୁ ନିଜ ଗନ୍ତବ୍ୟ ପଥରେ ଉଡାଣ ଭରିବା ପାଇଁ ଯଥାସାଧ୍ୟ ପ୍ରୟାସ ଜାରି ରହିଛି। ସମୟସାପେକ୍ଷ ହେଲେ ମଧ୍ୟ ମାନୁଆଲ୍ ମୋଡ୍ରେ କିଛି ମାତ୍ରାରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଇଛି। ଅନ୍ୟପକ୍ଷେ ଖୁବ୍ଶୀଘ୍ର ବୈଷୟିକ ତ୍ରୁଟିର ସମାଧାନ ହୋଇଯିବ ଏବଂ ବିମାନ ଉଡାଣ ସ୍ୱାଭାବିକ୍ ହୋଇଯିବ ବୋଲି ଏଏଆଇ ଆଶ୍ୱସ୍ତ କରିଛି।
ଏଏଆଇ ଅନୁଯାୟୀ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଏହା ଦୀର୍ଘ ସମୟ ଧରି ବିମାନ ଚଳାଚଳକୁ ବାଧାପ୍ରାପ୍ତ କରିଥିଲା। ତେବେ ଟେକ୍ନିକାଲ ଟିମ୍ ଏଟିସି ଡାଟାକୁ ସମର୍ଥନ କରୁଥିବା ସ୍ୱୟଂଚାଳିତ ବାର୍ତ୍ତା ସ୍ୱିଚିଂ ସିଷ୍ଟମ୍ (ଏଏମ୍ଏସ୍ଏସ୍)କୁ ପୁନଃସ୍ଥାପନ ତଥା ସକ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ବିମାନବନ୍ଦର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ବିମାନ ଉଡାଣରେ ଅହେତୁକ ବିଳମ୍ବ ଯୋଗୁ ଯାତ୍ରୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ନିଜ ନିଜ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଭରପୁର ଚେଷ୍ଟା କରିଛନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ଫ୍ଲାଇଟ୍ର ବାସ୍ତବ ସମୟ ଅପଡେଟ୍ ପାଇବା ପାଇଁ ନିଜ ନିଜର ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗରେ ରହିବାକୁ ଏକ ଆଡଭାଇଜରି ଜାରି ପୂର୍ବକ ପରାମର୍ଶ ଦିଆଯାଇଛି। ରିପୋର୍ଟ ଅନୁସାରେ ପ୍ରାୟ ଉଡାଣ ଭରିବାକୁ ଥିବା ବିମାନଗୁଡ଼ିକ ମଧ୍ୟରୁ ପ୍ରାୟ ୯୫% ବିମାନ ହାରାହାରି ୫୫ମିନିଟ୍ ବା ୧ ଘଣ୍ଟା ବିଳମ୍ବର ସମ୍ମୁଖୀନ ହେଉଥିବା ବେଳେ ଏହି ବିମାନବନ୍ଦରରେ ଅବତରଣ କରିବାକୁ ଥିବା ବିମାନ ମଧ୍ୟରୁ ପ୍ରାୟ ୬୯% ବିମାନ ହାରାହାରି ୪୩ ମିନିଟ୍ ବିଳମ୍ବର ସମ୍ମୁଖୀନ ହୋଇଛନ୍ତି।
ଦେଶର ସବୁଠାରୁ ବ୍ୟସ୍ତବହୁଳ ଦିଲ୍ଲୀର ଆଇଜିଆଇ ବିମାନବନ୍ଦର ପ୍ରତିଦିନ ୧,୫୦୦ରୁ ଅଧିକ ବିମାନ ପରିଚାଳନା କରିଥାଏ। ଫ୍ଲାଇଟ୍-ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ରାଡାର-୨୪ ରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁବାର ୫୧୩ଟି ଏବଂ ଶୁକ୍ରବାର ସକାଳ ଠାରୁ ୧୭୧ଟି ବିମାନ ବିଳମ୍ବ ହୋଇଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଆଜି ଦିନରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (ସିଏସ୍ଏମ୍ଆଇଏ) ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ବିମାନ ପରିଚାଳନା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା, ଯାହାଦ୍ୱାରା ଅନେକ ବିମାନ ବିଳମ୍ବିତ ହୋଇଥିଲା। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏଠାରେ ବିମାନ ଚଳାଚଳ ସ୍ୱାଭାବିକ୍ ହୋଇଯାଇଥିବା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଏମ୍ଆଇଏଏଲ) କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଠାରେ ବୈଷୟିକ ତ୍ରୁଟି ନୁହେଁ ବରଂ ମାନବଜନିତ ତ୍ରୁଟି ପରିଲକ୍ଷିତ ହୋଇଥିଲା ବୋଲି କୁହାଯାଇଛି।









