ନୂଆଦିଲ୍ଲୀ: ଅକ୍ଷର ସୁନ୍ଦର କରି ନ ଲେଖିବାରୁ ତୃତୀୟ ଶ୍ରେଣୀ ଛାତ୍ରର ହାତ ଉପରେ ମହମବତୀ ବୁନ୍ଦା ପକାଇ ଜାଳିଦେଲେ ଟ୍ୟୁସନ ଶିକ୍ଷୟତ୍ରୀ । ପରିବାର ଲୋକଙ୍କ ଅଭିଯୋଗ ପରେ ଟ୍ୟୁସନ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଛି । ଏଭଳି ଘଟଣା ମୁମ୍ବାଇର ମାଲଡା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ବୟସ ଆଠ ବର୍ଷ, ତୃତୀୟ ଶ୍ରେଣୀର ଛାତ୍ର ନିୟମିତ ଭାବେ ଟ୍ୟୁସନକୁ ଯାଉଥିଲେ । ଟ୍ୟୁସନରେ ଛାତ୍ର ଜଣଙ୍କ ଖରାପ ଅକ୍ଷର କରି ଲେଖିବାରୁ ହାତ ଉପରେ ଗରମ ମହମବତୀ ପକାଇଦେଇଥିଲେ । ପରେ ଛାତ୍ରଙ୍କ ଭଉଣୀକୁ ଫୋନ କରି ନେଇଯିବାକୁ କହିଥିଲେ ଶିକ୍ଷୟତ୍ରୀ । ଭଉଣୀ ଟ୍ୟୁସନରେ ପହଞ୍ଚିବା ପରେ ଭାଇ କାନ୍ଦିବାର ଦେଖି ତା ଦୁଇ ହାତ ପୋଡିଯିବାର ଦେଖି ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ । ହେଲେ ସେ ନାଟକ କରୁଛି ବୋଲି କହିଦେଇଥିଲେ । ଘରକୁ ଫେରିବା ପରେ ପିଲାଟି ସବୁ କିଛି କଥା କହିଥିଲା । ଏହା ଶୁଣି ତାଙ୍କ ବାପା ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ପରେ ପରିବାର ଲୋକ ଟ୍ୟୁସନ ଶିକ୍ଷୟତ୍ରୀଙ୍କ ନାଁରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଟ୍ୟୁସନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ।









