19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଟାଟୁ’ ଫିଟାଇଲା ହତ୍ୟା ଗୁମର; ମୃତକର ଜଂଘରେ ଲେଖାଥିବା ୨୨ ଶତ୍ରୁଙ୍କ ନାମ

ଟାଟୁ’ ଫିଟାଇଲା ହତ୍ୟା ଗୁମର; ମୃତକର ଜଂଘରେ ଲେଖାଥିବା ୨୨ ଶତ୍ରୁଙ୍କ ନାମ

ମୁମ୍ବାଇ: ହତ୍ୟାର ଶିକାର ଜଣେ ମୃତକର ଶରୀରରେ ଲେଖାଯାଇଥିବା ଟାଟୁ’କୁ ଆଧାର କରି ପୁଲିସ୍ ଏବେ ଏକ ବଡ଼ ଜଘନ୍ୟ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଧରିବାରେ ସଫଳ ହେଉଥିବା ସୂଚନା ମିଳିଛି । ଘଟଣାଟି ମୁମ୍ବାଇର ବୋଲି ଜଣାପଡିଛି । ଏଠାରେ ଗୁରୁ ୱାଘମାରେ ନାମକ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ସ୍ପା’ ମଧ୍ୟରେ ଗତ ବୁଧବାର ହତ୍ୟା କରାଯାଇଥିଲା । କିନ୍ତୁ ପୁଲିସ୍‌କୁ ପ୍ରାରମ୍ଭିକ ଅନୁସନ୍ଧାନ ସମୟରେ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା । ମାତ୍ର ଯେତେବେଳେ ୱାଘମାରେଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିଲା ସେତେବେଳେ ପୁଲିସ୍ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା । କାରଣ ୱାଘମାରେଙ୍କ ଏକ ଜଂଘରେ ଟାଟୁ ହୋଇଥିବା ପ୍ରାୟ ୨୨ଜଣଙ୍କ ନାମ ଲେଖାଯାଇଥିବା ଜଣାପଡିଥିଲା । ୱାଘମାରେ ଏସମସ୍ତଙ୍କୁ ନିଜ ଶତ୍ରୁ ଭାବେ ଦର୍ଶାଇବା ପୂର୍ବକ ସେମାନଙ୍କ ନାମ ନିଜ ଜଂଘରେ ଟାଟୁ କରାଇଥିଲେ । ଅର୍ଥାତ୍ ୱାଘମାରେ, ଯେଉଁମାନଙ୍କୁ ନିଜ ଶତ୍ରୁ ଭାବେ ବିବେଚନା କରୁଥିଲେ ସେମାନଙ୍କ ନାମକୁ ନିଜ ଜଂଘରେ ଟାଟୁ କରାଇଥିଲେ । ଏସବୁ ନାଁକୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିବା ମାତ୍ରେ କିଛି ସମୟ ମଧ୍ୟରେ ଏହି ଘଟଣାସହ ଜଡିତ ପ୍ରାୟ ୫ଜଣଙ୍କୁ ଗିରଫ କରାଯାଇସାରିଛି । ଏମାନଙ୍କ ମଧ୍ୟରେ ଉକ୍ତ ସ୍ପା’ ମାଲିକ ସନ୍ତୋଷ ଶେରେକର ମଧ୍ୟ ରହିଛି ।
ପୁଲିସ୍ ତଦନ୍ତ ଅନୁସାରେ ନିଜକୁ ଜଣେ ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ଦର୍ଶାଉଥିବା ୱାଘମାରେ ନାମରେ ଅନେକ ଅପରାଧିକ ମାମଲା ରୁଜୁ ରହିଛି । ୱାଘମାରେ ୨୦୧୦ରୁ ମୁମ୍ବାଇ, ନାଭି ମୁମ୍ବାଇ, ଥାଣେ ଏବଂ ପାଲଘର ଆଦି ଅଞ୍ଚଳରେ ଥିବା ସ୍ପା’ ମାଲିକଙ୍କୁ ଡରାଇ ଧମକାଇ ଟଙ୍କା ହଡପ କରୁଥିଲେ । ଏତଦ୍‌ବ୍ୟତୀତ ତାଙ୍କ ବିରୋଧରେ ଚୋରା ଚାଲାଣ, ଦୁଷ୍କର୍ମ ଓ ନିର୍ଯ୍ୟାତନା ଭଳି ୩୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି । ତେବେ ସ୍ପା’ ମାଲିକଙ୍କ ଠାରୁ ଡରାଇ ଧମକାଇ ମୋଟା ଅଙ୍କର ଅର୍ଥ ଲୁଟିବାକୁ ନେଇ ସନ୍ତୋଷ ଶେରେକର ନାମକ ଜଣେ ସ୍ପା ମାଲିକ ଅତିଷ୍ଠ ହୋଇପଡିଥିଲେ । ସବୁଦିନ ପାଇଁ ୱାଘମାରେକୁ ରାସ୍ତାରୁ ହଟାଇବା ଉଦ୍ଦେଶ୍ୟରେ ସେ ମହମ୍ମଦ ଫିରୋଜ ଅନ୍‌ସାରୀ (୨୬) ନାମକ ଜଣେ ଯୁବକକୁ ୬ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ପୁଲିସ୍ ଜାଣିବାକୁ ପାଇଛି । ଅନ୍‌ସାରୀ ମଧ୍ୟ ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ଏକ ସ୍ପା’ ଚଳାଉଥିଲା । କିନ୍ତୁ ୱାଘମାରେ ପକ୍ଷରୁ ପୁଲିସ୍‌ରେ ଅଭିଯୋଗ ହେବା ପରେ ଅନ୍‌ସାରୀର ସ୍ପା ଉପରେ ପୁଲିସ୍ ରେଡ୍ ହୋଇଥିଲା ଏବଂ ସେହିଦିନ ଠାରୁ ସ୍ପା’ ମଧ୍ୟ ବନ୍ଦ ହୋଇଯାଇଥିଲା । ୱାଘମାରେକୁ ଅନ୍‌ସାରୀ ବଟି ନଦେବାରୁ ସେ ପୁୂଲିସ୍‌କୁ ତା’ର ସ୍ପାରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲା ବୋଲି ଅନ୍‌ସାରୀ ମଧ୍ୟ ୱାଘମାରେ ଉପରେ ରାଗ ରଖିଥିଲା । ପରେ ଅନ୍‌ସାରୀ, ଦିଲ୍ଲୀର ଅନ୍ୟତମ କୁଖ୍ୟାତ ସୁପାରି କିଲର ସାକିବ୍ ଅନ୍‌ସାରୀକୁ ନିଯୁକ୍ତ କରିଥିଲା । ଏମାନେ ସମସ୍ତେ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ୩ ମାସ ଧରି ୱାଘମାରେ ଉପରେ ନଜର ରଖିଆସୁଥିଲେ । ଦିନେ ୱାଘମାରେଙ୍କୁ ବଟି ଅର୍ଥ ଦେବାର ଲୋଭ ଦେଖାଇ ଅନ୍ୟ ଏକ ନମ୍ବରୁ ସନ୍ତୋଷ ଶେରେକର ଫୋନ୍ କରି ନିଜ ସ୍ପା’କୁ ଡାକିଥିଲେ ଏବଂ ଏଠାରେ ମିଳିତ ଭାବେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ । ପୁଲିସ ଏବେ ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking